ଭୁବନେଶ୍ୱର: ପିପିଲିରୁ କଂଗ୍ରେସ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢ଼ିବେ ଯୁବନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ଏଆଇସିସି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ସ୍ୱର୍ଗତଃ ଅଜିତ ମଙ୍ଗରାଜଙ୍କ ଜାଗାରେ ବିଶ୍ୱକେଶନ ବିଜେଡ଼ିର ରୁଦ୍ର ପ୍ରତାପ ମହାରଥୀ ଏବଂ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ଫାଇଟ୍ ଦେବେ ।
ଡେଲାଙ୍ଗ ବାସିନ୍ଦା ବିଶ୍ୱକେଶନ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳର ସାଂଗଠନିକ ମୁଖ୍ୟ ପଦବୀରେ ଅଛନ୍ତି । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ତାଲିକାରେ ପୂର୍ବରୁ ତାଙ୍କର ନାଁ ନ ଥିଲା କି ମିଡ଼ିଆ ଚର୍ଚ୍ଚାରେ ଆଦୌ ନ ଥିଲେ । ତେବେ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରୁ କେହି ପ୍ରାର୍ଥୀ ହେବାକୁ ରାଜି ନ ହେବାରୁ ବିଶ୍ୱକେଶନଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।
ପ୍ରାର୍ଥୀ ଚୟନ ପାଇଁ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନିଶିକାନ୍ତ ମିଶ୍ର ଏବଂ ମାନସ ଆଚାର୍ଯ୍ୟଙ୍କ ସହ ବିଶ୍ୱକେଶନଙ୍କ ନାଁ ବିଚାର କରିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେବଳ ବିଶ୍ୱକେଶନଙ୍କ ନାଁ ଦିଲ୍ଲୀକୁ ଅନୁମୋଦନ କରିଥିବା କୁହାଯାଉଛି । ଯାହା ଉପରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
ଅନୁକମ୍ପା ଭୋଟ ହାତେଇବା ଲକ୍ଷ୍ୟରେ ସ୍ୱର୍ଗତ୍ ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ତାଙ୍କ ପତ୍ନୀ କିମ୍ବା ଭାଇଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ନେତୃତ୍ୱ ପ୍ରଥମରୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନ ଥିଲେ । ତେବେ ନୂଆ ମୁହଁ ବିଶ୍ୱକେଶନଙ୍କୁ ପ୍ରାର୍ଥୀ କରି ପିପିଲିରେ କଂଗ୍ରେସ ନୂଆ ଏକ୍ସପେରିମେଣ୍ଟ କରିଛି ।