ଭୁବନେଶ୍ୱର: ଦଶହରା ବଟି ଅସୁଲ କରି ବାବୁମାନେ ଖୁସିମନରେ କଟକ/ ଭୁବନେଶ୍ୱର ଘରକୁ ଫେରୁଥିଲେ ଛୁଟି ମଉଜ କରିବାକୁ । ହେଲେ ଭିଜିଲାନସ୍ ହାବୁଡ଼ରୁ ବର୍ତ୍ତି ପାରିଲେନି । ବିଡ଼ା ବିଡ଼ା ଟଙ୍କା ସହ ଧରା ହୋଇଗଲେ । ଆଜି ସେମାନଙ୍କୁ ଜେଲ୍ ଯିବାକୁ ପଡ଼ିଛି । ତିନି କ୍ଲାସ୍ ୱାନ୍ ବାବୁଙ୍କର ଦଶହରା ଛୁଟି କଟିବ ଜେଲ୍ ରେ ।
ଜେଲ୍ ଯାଇଥିବା ଲାଞ୍ଚୁଆ ତିନି ବାବୁ ହେଲେ କେନ୍ଦୁଝର ଶାଳପଡ଼ା ବୈତରଣୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ରାଉରକେଲା ପାନପୋଷସ୍ଥିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଲେଶ୍ୱର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ।
ବାବୁ ବିଧାନ ସାହୁ ଗତକାଲି କେନ୍ଦୁଝରରୁ ଏକ ବୋଲେରୋ ଗାଡ଼ିରେ କଟକ ମହତାବ ରୋଡ୍ ଘରକୁ ଆସୁଥିବା ବେଳେ ଯାଜପୁର ଏନସି କଲେଜ ରୋଡ୍ ରେ ଛକିଥିବା ଭିଜିଲାନସ୍ ହାବୁଡ଼ରେ ପଡ଼ିଥିଲେ । ତାଙ୍କ ଗାଡ଼ିରୁ ନଗଦ ୧୦ ଲକ୍ଷ ୭ ହଜାର ୬୨୦ ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା କେଉଁଠୁ ଆଣିଲେ ପଚାରିବାରୁ ପାଟି ଖନି ମାରିଥିଲା । ଉତ୍ତର ଦେଇପାରି ନ ଥିଲେ । ପରେ ତାଙ୍କ କଟକ ଘର ସର୍ଚ୍ଚରୁ ନଗଦ ୬୪ ହଜାର ଟଙ୍କା ମିଳିଥିଲା ।
ବାବୁ ପ୍ରକାଶ ମହାପାତ୍ର ରାଉରକେଲାରୁ ଆସି ଭୁବନେଶ୍ୱର ସୁନ୍ଦରପଦା ଘରେ ପହଞ୍ଚିବା କ୍ଷଣି ପୂର୍ବରୁ ଛକି ଥିବା ଭିଜିଲାନସ୍ ହାବୁଡ଼ରେ ପଡ଼ିଥିଲେ । ତାଙ୍କଠାରୁ ନଗଦ ୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ମିଳିଥିଲା । ଟଙ୍କା କେଉଁଠୁ ଆଣିଲେ ଜବାବ ଦେଇପାରି ନ ଥିଲେ ।
ବାବୁ ନରୋତ୍ତମ ବେହେରା ବାଲେଶ୍ୱରରୁ ଏକ ଇନୋଭା ଗାଡ଼ିରେ ଭୁବନେଶ୍ୱର ଆସୁଥିବା ବେଳେ କଟକ ଟାଙ୍ଗୀ ଚେକ୍ ଗେଟ୍ ନିକଟରେ ଛକିଥିବା ଭିଜିଲାନସ୍ ହାବୁଡ଼ରେ ପଡ଼ିଯାଇଥିଲେ । ତାଙ୍କ ଗାଡ଼ିରୁ ମିଳିଥିଲା ନଗଦ ୮୯ ହଜାର ୨୯୦ ଟଙ୍କା । କେଉଁଠି ଏହି ଟଙ୍କା ଆଣିଲେ ଜବାବ ଦେଇପାରି ନ ଥିଲେ । ପରେ ତାଙ୍କର ଭୁବନେଶ୍ୱର ସତ୍ୟନଗରସ୍ଥିତ ଘର ସର୍ଚ୍ଚରୁ ନଗଦ ୯ ଲକ୍ଷ ୨୫ ହଜାର ଟଙ୍କା ମିଳିଥିଲା ।
୩ ବାବୁଙ୍କଠାରୁ ଜବତ ଟଙ୍କା ସବୁ ବ୍ଲାକ୍ ମନି ବୋଲି ଭିଜିଲାନସ୍ ଏସପି କହିଛନ୍ତି ।
ସୂଚନାଯୋଗ୍ୟ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ଭିଜିଲାନସ୍ ବିଭାଗ ତତ୍ପର ହୋଇଉଠିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି ଏବଂ ୫-ଟି କାର୍ଯ୍ୟକାରୀ ହେବା ପରେ ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୧୨୨ ଜଣ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨୫୮ କର୍ମଚାରୀଙ୍କୁ ନିଲମ୍ବନ କିମ୍ବା ଦରମା ବନ୍ଦ ଦଣ୍ଡ ଦିଆଯାଇଛି । ୬ ହଜାର କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ସତ୍ତ୍ୱେ ଅନେକ ଲାଞ୍ଚଖୋର ଅଧିକାରୀ ଓ କର୍ମଚାରୀ ସଜାଡ଼ି ହେଉ ନ ଥିବା ଦେଖିବାକୁ ମିଳୁଛି । ମାଲ୍ ଆଗରେ ଜେଲ୍ ସେମାନଙ୍କ ପାଇଁ ତୁଚ୍ଛ ହୋଇଛି । ତଳିଆ ଅଫିସଠାରୁ ଆରମ୍ଭ କରି ସଚିବାଳୟ ଦପ୍ତରରେ ଏଭଳି ଅଧିକାରୀ/କର୍ମଚାରୀଙ୍କ ସଂଖ୍ୟା କିଛି କମ୍ ନାହିଁ । ଏମାନେ ସାବାଡ଼ ହେଲେ ଯାଇ ସାଧାରଣ ଜନତା ତ୍ରାହି ପାଇବେ ।