ଭୁବନେଶ୍ୱର: ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଅଡୁଆ ଆହୁରି ବଢ଼ିଯାଇଛି । ମମତା ମେହେର ହତ୍ୟା ଘଟଣାରେ ତାଙ୍କର ସଂପୃକ୍ତି ଅଭିଯୋଗ ଜଟିଳ ମୋଡ଼ ନେଲାଣି । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ଗଣମାଧ୍ୟମରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ମମିତା ମେହେର ଏବଂ ଗୋବିନ୍ଦ ସାହୁଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହୁବାର ଉଦ୍ୟମ କରିଥିଲେ । ରାୟପୁରସ୍ଥିତ ତାଙ୍କ ବାସଭବନକୁ ଥରେ ନୁହେଁ ତିନି ଥର ନେଇ ବୁଝାମଣା ବୈଠକ କରିଥିଲେ । ମାତ୍ର ସମାଧାନର ରାସ୍ତା ବାହାରି ପାରି ନ ଥିଲା । ଏ ସମ୍ପର୍କରେ ଆଗକୁ ଆହୁରି ଭୟଙ୍କର ତଥ୍ୟ ସାମ୍ନାକୁ ଆସିବ । ଏବେ ମାତ୍ର ଦୁଇପୃଷ୍ଠା ଖୋଲାଯାଇଛି । ଆଗକୁ ବହୁ ପୃଷ୍ଠା ଖୋଲାଯିବ ।
ସେ ପୁଣି କହିଛନ୍ତି ସେ ଗୋବିନ୍ଦ ସାହୁ ବାରାକ୍ ରେ ଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଫୋନ୍ ରେ କଥା ହୋଇଥିଲେ । ସମସ୍ତଙ୍କ କଲ୍ ରେକର୍ଡ ବାହାର କଲେ ସବୁ ତଥ୍ୟ ସାମ୍ନାକୁ ଆସିଯିବ ।
ବିଧାୟକ ସାଲୁକା ତଥାକଥିତ ରାୟପୁର ବୈଠକ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ସେପ୍ଟେମ୍ବର ୨୦ରେ ମମିତା କଣ୍ଟାବାଂଝୀରୁ ବସ୍ ଯୋଗେ ଘରୁ ବାହାରି ମହାଲିଙ୍ଗ ଯାଇଥିଲେ । ମହାଲିଙ୍ଗରୁ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲେ । ୨୦ରୁ ୨୩ ପର୍ଯ୍ୟନ୍ତ ମନ୍ତ୍ରୀ ତାଙ୍କ କୁଲ୍ ହୋମ୍ ଆପାର୍ଟମେଣ୍ଟ ରେ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଛନ୍ତି । ଅକ୍ଟୋବର ୭ ତାରିଖରେ ମମିତାଙ୍କ ଏସବିଆଇ ଆକାଉଣ୍ଟକୁ ଗୋବିନ୍ଦ ୮ ହଜାର ଟଙ୍କା ପଠାଇଥିଲେ ବୋଲି ମଧ୍ୟ ଶ୍ରୀ ସାଲୁଜା କହିଛନ୍ତି ।
ଖାଲି ସେତିକି ନୁହେଁ, ମମିତା ହତ୍ୟା ପରେ ଜବତ ପେନଡ୍ରାଇଭ୍, ଲାପଟନ୍ ରେ ବହୁ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ୍ ପ୍ରମାଣ ରହିଛି ଏବଂ ପୁଲିସ ଏହାକୁ ଲୁଚାଉଛି ବୋଲି ସାଲୁଜା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ରାୟପୁର ଆପାର୍ଟମେଣ୍ଟରେ ମମିତା ଓ ଗୋବିନ୍ଦଙ୍କ ମଧ୍ୟରେ ମିଳାମିଶା ବୈଠକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ବିଜୟ ମହାପାତ୍ର ଅଭିଯୋଗ କରିଥିଲେ । ପରେ ଏହି ସମାନ କଥା ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଇତିମଧ୍ୟରେ ମମିତା ହତ୍ୟା ଅପରାଧ ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ପ୍ରତିଦିନ ନୂଆ ଅଭିଯୋଗ ଯୋଡି ହେଉଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ମାମଲାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର, ଗିରଫ ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ର ହେବାର ଲାଗିଛି । କଂଗ୍ରେସ ପକ୍ଷରୁ ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଗଲାଣି । ବିଜେଡ଼ି ଏହାର କାଉଣ୍ଟର୍ ଜବାବ ଦେଉଛି ତେଲ ଦର ବୃଦ୍ଧିର ପ୍ରତିବାଦ କରି ।