ସମ୍ବଲପୁର/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ । କୁଚିଣ୍ଡାର ସରସ୍ୱତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ସମ୍ବଲପୁରର ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ । ମା ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମା’ଙ୍କ ପୀଠକୁ ଆସୁଛନ୍ତି। ତେଣୁ ଏ ପୀଠର ବିକାଶ ପାଇଁ ସରକାରଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଏହି ଅବସରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଦୁର୍ଘଟଣା କ୍ଷେତ୍ରରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ।
ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ଆଜି ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୁଚିଣ୍ଡା ଓ ରେଢାଖୋଲ ଏନ୍.ଏ.ସି.ର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ନବ ଦାସ, ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।
ତେବେ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରୁଥିବା ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ ହୋଇଥିଲା ବେଳେ ଯୁବ କଂଗ୍ରେସ କର୍ମୀମାନେ ନାରାବାଜି କରିଥିଲେ । ଏହି ଘଟଣାରେ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ଯୁବ କଂଗ୍ରେସ ନେତା ଜୟନ୍ତ କିଷାନ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।