ଭୁବନେଶ୍ୱର: ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ସନ୍ତୋଷ କୁମାର ଦାସ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କ ଘରେ ଭିଜିଲାନସ୍ ଚଢ଼ଉ କରି ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି । ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଏତେ ନଗଦ ଟଙ୍କା ଜବତ ହେବା ଭିଜିଲାନସ୍ ଇତିହାସରେ ପ୍ରଥମ ଘଟଣା ।
ସନ୍ତୋଷଙ୍କ ପାଖରେ ଏତେ ନଗଦ ଟଙ୍କା ଭିଜିଲାନସ୍ ଅଧିକାରୀମାନଙ୍କୁ ତାଜୁବ କରିଦେଇଛି । ଦୁଇ ଦିନ ହେଲା ଟଙ୍କା ଗଣି ଗଣି ଅଧିକାରୀମାନେ ହାଲିଆ ହୋଇଯାଇଛନ୍ତି । ଏଥିସହ ନିକଟ ଅତୀତରେ ଅସାଧୁ ସରକାରୀ ବାବୁଙ୍କଠାରୁ ଜବତ ହୋଇଥିବା ନଗଦ ଟଙ୍କା ତାଲିକା(ଟପ୍-୭) ଭିଜିଲାନସ୍ ପ୍ରକାଶ କରିଛି । ୪୧.୭୭ ଲକ୍ଷ ସହ ସନ୍ତୋଷ ଦାସ ଏହି ତାଲିକାର ଶୀର୍ଷରେ ଅଛନ୍ତି ।
ପଛକୁ ପଛ ଅଛନ୍ତି, ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ (୩୮,୧୨,୯୦୦), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଲେଶ୍ୱରର ରିଜିଓନାଲ୍ ମ୍ୟାନେଜର ନରୋତ୍ତମ ବେହେରା(୧୬,୫୦,୦୧୩), ଭବାନୀପାଟଣା ସ୍ପେଶାଲ୍ ପିପି ଆଶୁତୋଷ ମିଶ୍ର(୧୫,୬୦,୧୪୦), ବାଲିଗୁଡ଼ା ଆଇଟିଡିଏ ହେଡକ୍ଲର୍କ ବସନ୍ତ କୁମାର ପାଣି(୧୩.୨୫ ଲକ୍ଷ), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କର ପିଏସ୍ ବିରଞ୍ଚି ନାରାୟଣ ସାହୁ(୧୨,୪୬,୪୯୨) ଏବଂ କେନ୍ଦୁଝର ବୈତରଣୀ ଜଳସେଚନ ଡିଭିଜନ୍ ଏସଇ ବିଧାନ ଚନ୍ଦ୍ର ସାହୁ(୧୦,୦୭,୬୨୦) ।
୪୧.୭୭ ଲକ୍ଷ ନଗଦ ଟଙ୍କା ସମେତ ବାବୁ ସନ୍ତୋଷ ଦାସଙ୍କ ବାଲେଶ୍ୱର ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରୁ ଭିଜିଲାନସ୍ ଠାବ କରିଥିବା ସମ୍ପତ୍ତି ମଧ୍ୟରେ ରହିଛି- ୬୫୯ ଗ୍ରାମ୍ ସୁନା, ଭୁବନେଶ୍ୱର ବରଗଡ଼ରେ ୪ ମହଲା ବିଲଡିଂ, ବାଲେଶ୍ୱରରେ ୪ ମହଲା ବିଲଡିଂ, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଫ୍ଲାଟ୍, ଭୁବନେଶ୍ୱର କଳିଙ୍ଗ ବିହାରରେ ଅର୍ଦ୍ଧ ନିର୍ମିତ ବିଲଡିଂ, ବାଲେଶ୍ୱରରେ ୩ ଟି ପ୍ଲଟ୍, କାର୍ ଏବଂ ୩ ଟି ମୋଟରସାଇକେଲ ।
ତଦନ୍ତ ଚାଲୁ ରହିଥିବାରୁ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।