ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରାଣକେନ୍ଦ୍ର କୋରାପୁଟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଏଥର ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ କେେରାପୁଟ ପରିବର୍ତ୍ତେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ସଂଧ୍ୟାରେ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ଉଦ୍ଘାଟନୀ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋରାପୁଟ ଏବେ ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରାଣକେନ୍ଦ୍ର ପାଲଟିଛି। ପ୍ରସିଦ୍ଧ ଲେଖକ ଗୋପୀନାଥ ମହାନ୍ତି ନିଜର ଉପନ୍ୟାସ ମାଧ୍ୟମରେ କୋରାପୁଟର ଗାଥାକୁ ବିଶ୍ବସ୍ତରରେ ପହଞ୍ଚାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ସରକାର କୋରାପୁଟକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରାଧାନ୍ୟ ଦେବାପାଇଁ ଅଗଭର। ଏ ବର୍ଷ କେରାପୁଟରେ ଇକୋ ରିଟ୍ରିଟ୍ ମାଧ୍ୟମରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ। କୋରାପୁଟ ସାହିତ୍ୟ ଉତ୍ସବ ଲେଖକ, ବୁଦ୍ଧିଜୀବୀ ଓ କଳାକାରଙ୍କୁ ଏକାଠି କରିବାର ଏକ ଅଭିନବ ଉପକ୍ରମ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଉପାନ୍ତକୁ ଏବେ କେନ୍ଦ୍ରରେ ସ୍ଥାପିତ କରିବାର ସମୟ ଆସିଛି। ବିକାଶର କେନ୍ଦ୍ରବିନ୍ଦୁ ଉପାନ୍ତ ହେଲେ ଯାଇ ସମାଜରେ ସମତୁଲତା ପ୍ରତିଷ୍ଠା ହୋଇପାରିବ। ସାହିତ୍ୟରେ ଉପାନ୍ତକୁ ଗୁରୁତ୍ବ ଦେବାର ବେଳ ଆସିଛି। କୋରାପୁଟ ସାହିତ୍ୟ ଉତ୍ସବ ଏ ଉଦ୍ୟମକୁ ଆଗକୁ ବଢ଼ାଉଛି ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ପୁର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ କହିଲେ ଯେ ଆଦିବାସୀର ଭରସା ଜିତିବା ଲାଗି ମୁଖ୍ୟସ୍ରୋତରେ ଲୋକଙ୍କର ଅଭାବ ରହିଛି। କୋରାପୁଟ ଭ୍ରମଣର ଅନୁଭୂତି ବଖାଣି ସେ କହିଥିଲେ ଯେ ସରକାର ନାନାବିଧ ବିକାଶ ଉଦ୍ୟମ କରୁଥିଲେ ହେଁ ପ୍ରାପକ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମ୍ପର୍କର ଅଭାବ ହେତୁ କେତାକ କ୍ଷେତ୍ରରେ ତାହା ଫଳବତୀ ହେଉନାହିଁ। ଉଦ୍ଘାଟନୀ ସଭାରେ ସଭାପତିତ୍ୱ କରିଥିଲେ କଥାକାର ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।
ପରେ ପରେ “ଦୂରତା ଓ ବିକାଶ” ଆଲୋଚନା ସଂପାନରେ ବିଜେଡି ନେତା ଗୌତମବୁଦ୍ଧ ଦାସ, ବିଜେପି ନେତା ଗୋଲକ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତି ଯୋଗ ଦେଇଥିଲେ। ଦ୍ୱିତୀୟ ସଂପାନରେ “ଓଡ଼ିଆ କାହାଣୀରେ ଓଡ଼ିଶା” ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସରୋଜିନୀ ସାହୁ, ଅରବିନ୍ଦ ରାୟ, ନନ୍ଦିତା ମହାନ୍ତି ଓ ସ୍ୱାଗତିକା ସ୍ବାଇଁ।
ତୃତୀୟ ସଂପାନରେ “ଓଡ଼ିଆ ସିନେମାରେ ଓଡ଼ିଆ ଜନଜୀବନ” ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଅକ୍ଷୟ କୁମାର ପରିଜା, ବିୟତପ୍ରଜ୍ଞା ତ୍ରିପାଠୀ ଓ ସୂର୍ଯ୍ୟ ଦେଓ।
ଚତୁର୍ଥ ସଂପାନ “ଓଡ଼ିଆ କବିତାରେ ଓଡ଼ିଶା” ଶୀର୍ଷକ ଆଲୋଚନାରେ ହୃଷୀକେଶ ମଲ୍ଲିକ, ପ୍ରବାସିନୀ ମହାଖୁଡ଼, ରକ୍ଷକ ନାୟକ ଓ ଜ୍ଞାନୀ ଦେବାଶିଷ ମିଶ୍ର ଅଂଶଗ୍ରହଣ କରିଥିଲେ। ପଞ୍ଚମ ସଂପାନ “ବ୍ୟଙ୍ଗର ବୟସ” ଶୀର୍ଷକ ଆଲୋଚନା ତଥା ବ୍ୟଙ୍ଗ କବିତା ଆସରରେ ଅଂଶଗ୍ରହଣ କରିଥିଲେ ରମାକାନ୍ତ ମିଶ୍ର, ମନମାଷ୍ଟ୍ରେ, ଡଃ କୁଳାଙ୍ଗାର ଓ ଗିରୀଶ ରଂଜନ ଅଂଶଗ୍ରହଣ କରିଥିଲେ। ପରେ ପରେ ଅଗ୍ନିବେଶ ମହାପାତ୍ର ଓ ସରିତା ପୃଷ୍ଟିଙ୍କ ମିଳିତ ସଂଯୋଜନରେ ଯୁବକବିମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
ସଂଧ୍ୟାରେ ଉଦ୍ଯାପନୀ ସମାରୋହ ଓ ସମ୍ମାନ ସମାରୋହକୁ ଉଦ୍ବୋଧନ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜ୍ୟପାଳ ନିଜର ଅଭିଭାଷଣରେ କହିଲେ ଯେ ବ୍ୟକ୍ତିଗତ ଚେତନାକୁ ଜାତୀୟ ଚେତନାରେ ଓ ଜାତୀୟ ଚେତନାକୁ ବ୍ରହ୍ମାଣ୍ଡ ଚେତନାରେ ରୂପାନ୍ତରିତ କରିଥାଏ ତାହା ହେଉଛି ଅସଲ ସାହିତ୍ୟ। ସେ କହିଲେ ପ୍ରତ୍ୟେକ ପୁଷ୍ପର ବିବିଧ ସୁଗନ୍ଧ ପରି ଓ ସଂଗୀତର ବିବିଧ ସ୍ବର ପରି ସାହିତ୍ୟରେ ବିବିଧତାର ସମ୍ମିଳିତ ଲକ୍ଷ୍ୟ ମୋକ୍ଷ ଅଟେ। ଭଗବତ ଗୀତାର ଦୃଷ୍ଟାନ୍ତ ଦେଇ ସେ କହିଥିଲେ ସାହିତ୍ୟର ଉଦ୍ଦେଶ୍ୟ ସର୍ବଦା ସମସ୍ତଙ୍କ ହିତ ପାଇଁ। ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଯୋଡ଼ିଥାଏ।
ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ତେଲୁଗୁ କବି ନିଖିଳେଶ୍ୱର। ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ବୁଦ୍ଧିଜୀବୀ ତଥା ଟିମ୍ ଆଡମାର୍କ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର।







