ଭୁବନେଶ୍ୱର: ଚଳିତ ଡିସେମ୍ବର ୪ ଓ ୫ ତାରିଖରେ ହୋଇଥିବା ବାତ୍ୟା ଜୱାଦ୍ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୫୦୭ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩% ଫସଲ ନଷ୍ଟ ସହିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ସହାୟତା ମିଳିବ । ଆମ୍ବ, କାଜୁ, ନଡ଼ିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।
ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଏବଂ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ । କ୍ଷତିଗ୍ରସ୍ତ ୧୨ ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ୱିଣ୍ଟାଲ୍ ଉଚ୍ଚମାନର ବିହନ ରିହାତି ଦରରେ ଯୋଗାଇ ଦିଆଯିବ । ଏହି ରିହାତି ପରିମାଣର ଅତିରିକ୍ତ ୨୫% ଡିବିଟି ଜରିଆରେ ଆଗାମୀ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଏଥିସହ ୪ ଲକ୍ଷ ପରିବା ବିହନ ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ ।
୩୩% ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ । ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ୱାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀମାନେ ରବି ଋତୁରେ ସୁବିଧାରେ ଋଣ ପାଇବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ।
-ଫଳ ଓ ପନିପରିବା ଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ୧ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ୍ ଜାଲି ବାକ୍ସ ବା କ୍ରେଟ୍ ଯୋଗାଇ ଦିଆଯିବ । ପ୍ରତି ସଦସ୍ୟଙ୍କୁ ୯୦% ରିହାତିରେ ୫ ଗୋଟି କ୍ରେଟ୍ ମିଳିବ ।
-ନିଜ ଘର ପଛ ବଗିଚାରେ ଲଗାଇବା ପାଇଁ ୧ ଲକ୍ଷ ଚାଷୀଙ୍କୁ ମାଗଣାରେ ୧୦ ଗୋଟି ଲେଖାଏଁ ଫଳ ଚାରା ଯୋଗାଇ ଦିଆଯିବ ।
-୧ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ୍ ପରିବା ଚାଷ ପାଇଁ ସହାୟତା ଦିଆଯିବ । ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ ।
-କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ରିହାତି ଦିଆଯିବ । ଏହା ଡିବିଟି ଜରିଆରେ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫ ହଜାର ପମ୍ପସେଟ୍ ୫୦% ରିହାତିରେ ଯୋଗାଇ ଦିଆଯିବ । ସର୍ବାଧିକ ୧୦ ହଜାର ଟଙ୍କା ରିହାତି ଦିଆଯିବ ।
-କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ୫ ହଜାର ସ୍ପ୍ରେୟର ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର୍ ପାଇଁ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର୍ ପାଇଁ ସର୍ବାଧିକ ୭୫୦ ଟଙ୍କା ଦିଆଯିବ ।
-୧୬ ହଜାର ହେକ୍ଟର ଜମିରେ ରୋଗପୋକ ନିୟନ୍ତ୍ରଣ ପାଇଁ ସହାୟତା ପ୍ରଦାନ(ଡିବିଟି ଜରିଆରେ) କରାଯିବ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ କ୍ଷତିପୂରଣ ଯେପରି ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ । କ୍ରପ୍ କଟିଂ ଏକ୍ସପେରିମେଣ୍ଟ ମଧ୍ୟ ଶୀଘ୍ର ଶେଷ କରାଯିବ । ଜୱାଦ୍ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।