ଭୁବନେଶ୍ୱର: କେବଳ ସରକାରୀ ବାବୁ କି କର୍ମଚାରୀ ନୁହଁନ୍ତି, ମନ୍ତ୍ରୀମାନଙ୍କ କ୍ଷେତ୍ରରେ 5-T ମାପକାଠି କଡ଼ାକଡ଼ି ଲାଗୁହେବ । 5-T ଆଧାରରେ ବିଭାଗକୁ ସମ୍ଭାଳି ପାରୁ ନ ଥିବା ମନ୍ତ୍ରୀମାନଙ୍କର ପଦ ଚାଲିଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଅଭିଯାନରେ ଅପାରଗ ଏବଂ ଦୁର୍ନୀତିଖୋର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଝାଡୁ ମାରିଲା ଭଳି ସଫା କରିଦେବେ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କିଛି ମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ମୁଖ୍ୟମନ୍ତ୍ରୀ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କ ବିରୋଧରେ ଗଦା ଗଦା ଅଭିଯୋଗ ତାଙ୍କ ପାଖକୁ ଆସୁଛି । କୋଉ ମନ୍ତ୍ରୀ ବିଭାଗ ସମ୍ଭାଳିବାରେ ଅସମର୍ଥ ତ ଆଉ କୋଉ ମନ୍ତ୍ରୀ ଦୁର୍ନୀତି ଓ ପ୍ରିୟାପ୍ରୀତିରେ ଲିପ୍ତ ଥିବା ଅଭିଯୋଗ ପାଉଛନ୍ତି । ତେବେ ଏଥର ମୁଖ୍ୟମନ୍ତ୍ରୀ ତାଙ୍କର ନିଆରା ଅନ୍ଦାଜରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସରକାର ଓ ପ୍ରଶାସନରେ 5-T ମନ୍ତ୍ର ଆପଣା ଯାଇଥିବାରୁ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଅଲଗା ବାଛବିଚାର ରଖିନାହାନ୍ତି । ଏହିକ୍ରମରେ ପଦ ସମ୍ଭାଳିବାରେ ଅସମର୍ଥ ଏବଂ ଦୁର୍ନୀତି, ଅନିତୀରେ ବୁଡ଼ିଥିବା ମନ୍ତ୍ରୀମାନଙ୍କୁ ବିଦା କରିବାର ଯୋଜନା ହୋଇଛି ।
ଏହି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ସ୍କାନରରେ ରହିଛନ୍ତି ସବୁ ମନ୍ତ୍ରୀ । ସମ୍ଭବତଃ ପ୍ରତି ୬ ମାସରେ ସେମାନଙ୍କ କାର୍ଯ୍ୟଦକ୍ଷତା ଓ 5-T ପରଫରମାନସ୍ କୁ ଅନୁଶୀଳନ କରାଯିବ । ସ୍ୱଚ୍ଛତା ଓ ଦକ୍ଷତାର ମାପକାଠିରେ ମନ୍ତ୍ରୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୁଖ୍ୟମନ୍ତ୍ରୀ । ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବିଦା କଲା ଭଳି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅକାଳରେ ବିଦା କରିବେ । କାର୍ଯ୍ୟାନୁଷ୍ଠାନରେ ରାଜନୈତିକ ବାଧ୍ୟବାଧକତା ବିଚାର ନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଥିବା ଜଣାପଡ଼ିଛି ।
ସୂଚନାଥାଉକି, ନିଜର ପଞ୍ଚମ ପାଳି ଶାସନରେ ମୁଖ୍ୟମନ୍ତ୍ରୀ ଜଣ ଜଣ କରି ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଗୁରୁତ୍ୱ ଦେଇ ସେମାନଙ୍କଠାରୁ ମାସିକିଆ କାର୍ଯ୍ୟ ରିପୋର୍ଟ ନେଉଛନ୍ତି । ଏଥିରେ 5-T କାର୍ଯ୍ୟକାରିତାକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ମନ୍ତ୍ରୀମାନଙ୍କ ନିଜସ୍ୱ ରିପୋର୍ଟ ବାହାରେ ମୁଖ୍ୟମନ୍ତ୍ରୀ ତାଙ୍କ ରାଡାର ଖଞ୍ଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।