ଭୁବନେଶ୍ୱର: ଆଜି ପୁଣି ବିରୋଧୀ ନେତାଙ୍କୁ ତେରଛା ବାଣ ମାରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିରୋଧୀ ନେତାମାନଙ୍କ ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଥିବାରୁ ବହୁତ ବଡ ବଡ ନେତା ଆସୁଛନ୍ତି । ବ଼ଡ଼ ବଡ଼ ଭାଷଣ ଦେଇକି ଆପଣମାନଙ୍କ ସାଙ୍ଗରେ କଥା ହେଇକି ପଳାଉଛନ୍ତି। ସେମାନେ ନିର୍ବାଚନ ଆସିଲେ ଦେଖାଦେବେ। ନିର୍ବାଚନ ସରିଗଲେ ଆଉ ଦେଖାମିଳିବ ନାହିଁ । ସମ୍ବଲପୁର ବରେଇପାଲି ଓ ରେଙ୍ଗାଳି ସାଧାରଣ ସଭାରେ ଯୋଗ ଦେଇ ନିର୍ବାଚନ ସର୍ବସ୍ୱ ବିରୋଧୀ ନେତାଙ୍କୁ ଏଭଳି ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ।
ଅପରପକ୍ଷରେ ‘ଅନ୍ୟ ଲୋକଙ୍କ ଭଳି ଆମେ ନୋହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ। ମୁଖ୍ୟମନ୍ତ୍ରୀ ସବୁବେଳେ କାମରେ ବିଶ୍ୱାସ କରନ୍ତି । ଲୋକଙ୍କୁ ସେମାନଙ୍କ ବିକାଶର ହିସାବ ଦେବାରେ ବିଶ୍ୱାସ କରନ୍ତି । ସେଥିପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଆଶୀର୍ବାଦ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିଲେ ଖୁସି ହୁଅନ୍ତି । ଗରିବ ଲୋକଙ୍କୁ ବଡ ବଡ ସ୍ୱପ୍ନ ଦେଖି ସାକାର କରିବା ପାଇଁ ସଶକ୍ତ କରି ଆସୁଛନ୍ତି ।
ଦୁଇଦିନ ତଳେ ଖୋର୍ଧା ଓ ନୟାଗଡ ଜିଲ୍ଲା ଗସ୍ତବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃ୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ପାଣ୍ଡିଆନ । ସମ୍ବଲପୁରର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ନିନ୍ଦା କରିବା ସହ ଏହା ଲୋକଙ୍କ ଦରକାର ନାହିଁ ବୋଲି କହିଥିଲେ । ଜବାବ ଦେଇ ପାଣ୍ଡିଆନ କହିଥିଲେ ଯେ, ଏହି ଯୋଜନା ଯଦି ଏତେ ଖରାପ ତାହେଲେ କେନ୍ଦ୍ରମନ୍ତ୍ରୀଙ୍କ ଦଳ ଆଗାମୀ ନିର୍ବାଚନ ବେଳେ ଯେଉଁ ଇସ୍ତାହାର ପ୍ରକାଶ କରିବ ତାର ପ୍ରଥମ ପଏଣ୍ଟରେ କ୍ଷମତାକୁ ଆସିଲେ ବିଏସକେୱାଇ ବନ୍ଦ କରିବୁ ବୋଲି ଲେଖନ୍ତୁ ବୋଲି କହିଥିଲେ ।
ଆଜି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଦୁଇଟି ଜିଲ୍ଲା ଗସ୍ତ କରିଥିଲେ । ପୂର୍ବାହ୍ଣରେ କଳାହାଣ୍ଡି ଜିଲ୍ଲା ଓ ଅପରାହ୍ଣରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସଭାରେ ଯୋଗ ଦେଇଥିଲେ । ପ୍ରତି ସ୍ଥାନରେ ବିକାଶର ହିସାବ ଦେଇଥିଲେ ପାଣ୍ଡିଆନ।