ଭୁୁବନେଶ୍ୱର: ଉନ୍ନତ ଭିତ୍ତିଭୂମି ଓ ସମସ୍ତ ସୁବିଧା ସହ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ରହିଛି । ଏଥିରେ ବିଳମ୍ବ କିମ୍ବା ଅବହେଳା ହୋଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଆଜି ସେ ପୁରୀ ଆସି ଷ୍ଟାଡିୟମ୍ ପ୍ରକଳ୍ପ ଅଞ୍ଚଳ ବୁଲିବା ସହ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ଅବସରରେ ସଂପୃକ୍ତ ଅଧିକାରୀମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ସେ ପୁରୀ ଏବଂ ଜିଲ୍ଲାରେ କ୍ରୀଡ଼ାର ଉନ୍ନତି ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଆଖଡ଼ା ଘର ପାଇଁ ପୁରୀ ସହରର ସମୃଦ୍ଧ ସଂସ୍କୃତି ରହିଛି । ଏଠାରେ ରେସଲିଙ୍ଗ୍, ୱେଫ୍ଟଲିଫ୍ଟିଂ, ବଡି ବିଲଡିଂ, ଯୋଗ, ଜିମ୍ନାଷ୍ଟିକ୍, ବକ୍ସିଂ ଆଦିର ବିକାଶ ପାଇଁ ଯଥେଷ୍ଟ ସୁଯୋଗ ରହିଛି । ସର୍ବୋପରି କ୍ରୀଡ଼ାର ଉନ୍ନତି ପାଇଁ ଆଖଡ଼ାଶାଳଗୁଡ଼ିକର ସଦବିନିଯୋଗ କରିବାକୁ ଶ୍ରୀ ପାଣ୍ଡିଆନ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନୂଆ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ରେସିଡେନିଆଲ୍ କ୍ରିକେଟ୍ ଏକାଡେମୀ ଏବଂ ରେସଲିଙ୍ଗ୍ ଏକାଡେମୀ ସ୍ଥାପନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।








