ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ରଥଯାତ୍ରା ପୂର୍ବରୁ ସରିବ ଶ୍ରୀ ସେତୁ, ବାସେଳି ସାହି ଧର୍ମଶାଳା ଏବଂ ସମଙ୍ଗଠାରେ ନିର୍ମାଣ ହେଉଥିବା କାର୍ ଓ ବସ ପାର୍କିଂ କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଏହି ତିନୋଟି ଯାକ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ସେ ବାସେଳି ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ। ଏହି ଧର୍ମଶାଳାରେ ଚାରିହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି।

ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଙ୍ଗ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ଏ ସମସ୍ତ କାର୍ଯ୍ୟ ନିର୍ଧାରିତ ସମୟ ରେ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ପାଣ୍ଡିଆନ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।








