ଭୁବନେଶ୍ୱର: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ(ସିଏପିଏଫ)ରେ ଭର୍ତ୍ତି ହେବା ପାଇଁ କେବଳ ହିନ୍ଦୀ ଓ ଇଂରାଜୀ ଭାଷାରେ ପିଲା ପରୀକ୍ଷା ଦେଉଥିଲେ । ମାତ୍ର ଏଣିକି ଓଡ଼ିଆ ସମେତ ୧୩ ଟି ଆଞ୍ଚଳିକ ଭାଷାରେ ମଧ୍ୟ କନେଷ୍ଟବଳ(ଜେନେରାଲ ଡ୍ୟୁଟି) ପରୀକ୍ଷା ହେବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି । ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷଣଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ନୂଆ ନିୟମରେ ହିନ୍ଦୀ, ଇଂରାଜୀ ଛଡ଼ା ଓଡ଼ିଆ, ଅହମୀୟା, ବଙ୍ଗଳା, ଗୁଜୁରାଟୀ, ମରାଠୀ, ମାଲାୟାଲମ୍, କନ୍ନଡ଼, ତାମିଲ, ତେଲୁଗୁ, ଉର୍ଦ୍ଧୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣି ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ୨୦୨୪ ଜାନୁଆରୀ ୧ ତାରିଖରୁ ଏହି ଢ଼ାଞ୍ଚାରେ ପରୀକ୍ଷା ଆୟୋଜନ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନେଷ୍ଟବଳ ପଦବୀ ପାଇଁ ୧୩ ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି । ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିଷ୍ପତ୍ତି ଯୁବଶକ୍ତି ବିଶେଷକରି ଗ୍ରାମାଞ୍ଚଳର ଯୁବବର୍ଗଙ୍କ ପାଇଁ ସମ୍ଭାବନାର ନୂଆ ଦ୍ୱାର ଖୋଲିବ ବୋଲି ସେ ଟ୍ୱିଟ୍ କରିଛନ୍ତି ।







