ଭୁବନେଶ୍ୱର: ଓଡ଼ିଶାବାସୀ କରୋନା ଆତଙ୍କରେ ଯୁଝୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ବି ମାଡ଼ି ଆସିଲାଣି । ରାଜ୍ୟରେ ଆଜି ପ୍ରଥମ ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଥିବା ଏହି ରୋଗୀଙ୍କ ଘର ଯାଜପୁର ଅଞ୍ଚଳରେ । ଭୁବନେଶ୍ୱର କଳିଙ୍ଗନଗରରେ ରହୁଛନ୍ତି । ତାଙ୍କର ବୟସ ୭୧ ବର୍ଷ ଏବଂ ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ । ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା । ସେ ସୁସ୍ଥ ହୋଇ ଘରେ ବିଶ୍ରାମ ନେଉଥିଲେ । ଦୁଇ ଦିନ ତଳେ ତାଙ୍କର ଆଖି ହଠାତ୍ ଫୁଲିଥିଲା ଏବଂ ନାକରୁ କଳା ପାଣି ବୋହିଥିଲା । ଆଜି ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।
ଘରେ ବ୍ୟବହାର କରୁଥିବା ପୁରୁଣା ଏୟାର କୁଲର୍ ରୁ ସଂକ୍ରମଣ ହୋଇଥିବା ସନେ୍ଦହ କରାଯାଉଛି । ଏୟାର କୁଲର୍ ରେ ବ୍ୟବହୃତ ପାଣି ବହୁତ ଦିନ ଧରି ବଦଳାଯାଇ ନ ଥିବା ରୋଗୀଙ୍କ ପରିବାର ସଦସ୍ୟଙ୍କଠାରୁ ଜଣାପଡ଼ିଛି ।
ତେବେ ବ୍ଲାକ୍ ଫଙ୍ଗସ୍ ର ନମୁନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।
ବିଶେଷଜ୍ଞଙ୍କ ମତରେ, ବ୍ଲାକ୍ ଫଙ୍ଗସ୍ ନୂଆ ରୋଗ ନୁହେଁ । ମାତ୍ର ଏବେକାର କରୋନା ବେଳେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି । ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନେ୍ଧ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ।