ଭୁବନେଶ୍ୱର: ଓଡ଼ିଶାବାସୀ ସମସ୍ତଙ୍କୁ ସହଜରେ ଟିକା ଉପଲବ୍ଧ କରାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ବିଦେଶରୁ ଟିକା କିଣାଯାଇ ଟିକା ଅଭାବ ପୂରଣ କରାଯିବ । ଟିକା କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ଏକ ବୈଷୟିକ କମିଟି ଦ୍ୱାରା ଏହାର ବିସ୍ତୃତ ରୂପରେଖ ପ୍ରସ୍ତୁତ ହେବ । ଟିକା ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କର ଏହା ସର୍ବୋତ୍ତମ ପ୍ରଚେଷ୍ଟା ବୋଲି କୁହାଯାଇଛି ।
ଗ୍ଲୋବାଲ୍ ଟେଣ୍ଡର ମାଧ୍ୟମରେ ବିଶ୍ୱର ପ୍ରମୁଖ କମ୍ପାନୀମାନଙ୍କଠାରୁ ଟିକା କିଣାଯିବ । ସେଥିପାଇଁ ବୈଷୟିକ କମିଟି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁମତି ଦିଆଯାଇଛି । ଏହି କମିଟି ଗ୍ଲୋବାଲ୍ ଟେଣ୍ଡରର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଟିକାକରଣ ଜରିଆରେ ଯେତେଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯିବ କମିଟି ସେ ଦିଗରେ କାର୍ଯ୍ୟ କରିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟବାସୀଙ୍କୁ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିଲା । ଇସ୍ରାଏଲ୍ ଭଳି ଦେଶର ବୃହତ୍ତ ଭାଗ ଟିକାକରଣ ପରେ ପୂର୍ବ ଅବସ୍ଥାକୁ ଫେରିଆସିଲାଣି । ଆମ ରାଜ୍ୟରେ ପ୍ରଥମରେ ଟିକା ନେଇଥିବା କୋଭିଡ୍ ସମ୍ମୁଖ ଯୋଦ୍ଧାମାନେ କୋଭିଡ୍ ସଂକ୍ରମଣରୁ ମୁକ୍ତ ଅଛନ୍ତି । ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି ସେମାନେ ଶୀଘ୍ର ଆରୋଗ୍ୟ ହୋଇଛନ୍ତି । ସୁତରାଂ ରାଜ୍ୟରେ ଯେତେଶୀଘ୍ର ପୂର୍ଣ୍ଣ ଟିକାକରଣ ହେବ, କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀ ସେତେଶୀଘ୍ର ସୁରକ୍ଷିତ ରହିପାରିବେ ।
ଟିକା ଏବଂ ଔଷଧ କ୍ଷେତ୍ରରେ ଟିକସ ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟ୍ ରେ ପ୍ରସ୍ତାବ ଗୃହୀତ ହୋଇଛି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଟିକା ଉପରୁ ଜିଏସଟି ଛାଡ଼ ପାଇଁ ଅନୁରୋଧ କରିଥିଲେ । ଏହାଦ୍ୱାରା କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟ ଉପକୃତ ହେବେ ।
କେବଳ ସେତିକି ନୁହେଁ, ସେସ୍ ଓ ସରଚାର୍ଜ ରୁ ବିଭିନ୍ନ ରାଜ୍ୟକୁ ଭାଗ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟ୍ ରେ ପ୍ରସ୍ତାବ ଅଣାଯାଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ୍ ପାଇପାରିବ ।
କୋଭିଡ୍ ପରିଚାଳନାରେ ଯାହା ଆବଶ୍ୟକ ତାହା କରିବାକୁ କ୍ୟାବିନେଟ୍ ଅନୁମତି ଦେଇଛି । କୋଭିଡ୍ ଯୋଦ୍ଧାମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇ ବୈଠକରେ ସଂକଳ୍ପ ପାରିତ ହୋଇଥିଲା ।
ସମସ୍ତେ କୋଭିଡ୍ ନିୟମ ମାନି ଚଳିବା ଏବଂ ନିହାତି ଆବଶ୍ୟକତା ନ ଥିଲେ ଘରୁ କେହି ବାହାରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ମୋଟ ୧୧ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ଲାଗିଛି ।
କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।