ଭୁୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ଚତୁର୍ଥ ପର୍ଯ୍ୟାୟ । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ସାରା ରାଜ୍ୟରେ ୭୩% ମତଦାନ ହୋଇଛି । ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଚୂଡ଼ାନ୍ତ ଆକଳନ ବେଳେ ଏହି ହାର ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।
ବଡ଼କଥା ହେଲା, ଅପହଞ୍ଚ ଓ ଦାରିଦ୍ର୍ୟ ପାଇଁ ଏକଦା ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମବାସୀ ଦୀର୍ଘ ୨୦ ବର୍ଷ ପରେ ଦେଖୁଥିବା ଏହି ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ସେଠାରେ ୮୩ ପ୍ରତିଶତ ମତଦାନ ହୋଇଛି । ସେହିଭଳି ମାଓପ୍ରବଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅନ୍ତର୍ଗତ ନିୟମଗିରି ତ୍ରିଲୋଚନପୁରରେ ୮୦% ମତଦାନ ହୋଇଛି । ମାଓ ଉପଦ୍ରବ ଯୋଗୁଁ ସେଠାରେ ମଧ୍ୟ ୨୦ ବର୍ଷ ପରେ ଭୋଟ ହୋଇଥିଲା ।
ସାମଗ୍ରିକ ଭାବେ ଆଜି ୪/୫ ଟି ମତଦାନ କେନ୍ଦ୍ରରେ ନିର୍ବାଚନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ଘଟଣାର ଅନୁଧ୍ୟାନ ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିସନର କହିଛନ୍ତି ।
ଏ ପର୍ଯ୍ୟନ୍ତ ୨୬୬ ବ୍ଲକ୍ ରେ ନିର୍ବାଚନ ସରିଯାଇଛି । ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ, ବାଲାଟ୍ ବାକ୍ସକୁ ଷ୍ଟ୍ରଙ୍ଗ ରୁମ୍ ରେ ଅତ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ଷ୍ଟ୍ରଙ୍ଗ ରୁମ୍ ରେ ସିସିଟିଭି, ୨୪ ଘଣ୍ଟିଆ ବିଜୁଳି, ପାୱାର୍ ବ୍ୟାକ୍ ଅପ୍ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ଖୋଲା ଯାଇପାରିବ ନାହିଁ । ଭୋଟଗଣତି ଦିନ କର୍ମଚାରୀ ଏବଂ କାଉଣ୍ଟିଂ ଏଜେଣ୍ଟ ଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ । ଯେଭଳି ପାଖରେ କେହି ମୋବାଇଲ୍ ବା ଅନ୍ୟ କୌଣସି ଇଲେକଟ୍ରୋନିକ୍ସ ସାମଗ୍ରୀ ରଖିପାରିବେ ନାହିଁ ।
Continue Reading