ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସୌଜନ୍ୟତା ଭୁଲିଯାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୩ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିବା ପୂର୍ବରୁ ଗତକାଲି ସଂଧ୍ୟାରେ ତାଙ୍କ ଉପସ୍ଥିତିରେ ଭୁବନେଶ୍ୱର ପାର୍ଟି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ନବନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କର ଭେଟଘାଟ ପର୍ବ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭୁବନେଶ୍ୱରରେ ଉପସ୍ଥିତ ଥିବା ସାଂସଦ ସେହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଥିଲେ । ଧର୍ମେନ୍ଦ୍ରଙ୍କ ପ୍ରତି ସାଂସଦଙ୍କ ମନରେ ଥିବା କ୍ରୋଧର ଏହାର ପ୍ରତିଫଳନ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

ସାଂସଦଙ୍କୁ ସେଠାକୁ ଆମନ୍ତ୍ରଣ କରାଯାଇ ନ ଥିଲା କି ବୋଲି ଆମେ ଦଳର ଜଣେ ପଦାଧିକାରୀଙ୍କୁ ପଚାରିଥିଲୁ । ମାତ୍ର ସେ ଏହାର ସିଧା ଜବାବ ଦେଇ ନଥିଲେ । ସେ କହିଥିଲେ, ସାଂସଦ ନିଜ ଆଡୁ ଏହି ଆୟୋଜନରେ ସାମିଲ ହେବା କଥା । କାରଣ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଂଗଠନିକ ଜିଲ୍ଲାର ଜନ ପ୍ରତିନିଧି ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କର ଏହି ସାକ୍ଷାତପର୍ବ ଥିଲା । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ତାଙ୍କ ନେତୃତ୍ୱରେ ବିଜେପି ଲଢ଼ିଥିଲା ବୋଲି ସାଂସଦ ଭୁଲିଯିବା ଉଚିତ୍ ନୁହେଁ ।







