ଭୁବନେଶ୍ୱର: ବିଜୁ ଜନତା ଦଳର ଭବିଷ୍ୟତ ଉଜ୍ଜଳ । ଓଡ଼ିଶାବାସୀଙ୍କ ଭାବନା ସହ ବିଜେଡି ଯୋଡି ହୋଇ ରହିଛି । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବେ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୋଧରେ ବିଜେଡିର ଲଢ଼େଇ ଜାରି ରହିବ । ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି । ଆମେ ହାରିନୁ କି ଲୋକଙ୍କ ବିଶ୍ୱାସ ହରାଇନୁ । ମିଥ୍ୟା ପ୍ରତିଶ୍ରୁତି ଓ ଭୂଆଁ ବୁଲାଇ ବିଜେପି କ୍ଷମତାକୁ ଆସିଛି । ଆମ ଭୁଲ ହେଲା ସେମାନଙ୍କ ନକରାତ୍ମକ ଓ ମିଥ୍ୟା ପ୍ରଚାରର କାଉଣ୍ଟର କରିପାରିଲୁ ନାହିଁ । ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଏବେ ଓଡିଶାବାସୀ ବୁଝିଲେଣି । ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜେଡି ଯୋଡି ହୋଇ ରହିଛି ଏବଂ ଏମିତି ରହିଥିବ ବୋଲି ନବୀନ କହିଛନ୍ତି ।







