ଭୁବନେଶ୍ୱର: ସୁଜାତା ରାଉତ କାର୍ତ୍ତିକେୟନ୍ ଆସନ୍ତାକାଲି ବିଜେଡିରେ ମିଶୁଥିବା ନେଇ ଏବେ ଖବର ଆସୁଛି । ଶଙ୍ଖଭବନଠାରେ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ବିଜେଡିର ସଦସ୍ୟତା ଗ୍ରହଣ କରିବେ ବୋଲି କୁହାଯାଉଛି । କାଲି ଦିନ ସାଢ଼େ ୧୨ ଟା ବେଳେ ଦଳର ସମସ୍ତ ବିଧାୟକ, କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାମାନେ ଶଙ୍ଖ ଭବନରେ ଉପସ୍ଥିତ ରହିବା ପାଇଁ ନବୀନ ନିବାସରୁ କୁଆଡ଼େ ଡାକରା ଦିଆଯାଇଛି ।
ସବୁ ଟିଭିରେ ଏହି ଖବର ଆସିବା କ୍ଷଣି ବିଜେଡିର ପ୍ରତ୍ୟାଖ୍ୟାତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର ଜଳାପୋଡ଼ା ଆରମ୍ଭ ହୋଇଛି । ଏହି ଜଳାପୋଡ଼ା ତାଙ୍କୁ ଭୀଷଣ ପ୍ରତିକ୍ରିୟାଶୀଳ କରିଦେଇଛି । ନିଜକୁ ବଡ଼ ଜ୍ୟୋତିଷ ମନେ କରି ବିଜେଡି ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଛନ୍ତି । ତାମିଲ୍ ବୋହୁକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡଙ୍କର ଏହା ମାଷ୍ଟରପ୍ଲାନ୍ ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି । ଶ୍ରୀମୟୀଙ୍କର ଏହି ଟୁଇଟ୍ କୁ ତାଙ୍କର ନାଗୁଆ ଟିଭି ବ୍ରେକିଂ ଖବରରେ ପକାଇଛି ।
ତେବେ ଶ୍ରୀମୟୀଙ୍କର ଏହି ଜଳାପୋଡ଼ା ପାଇଁ କାରଣ ବି ରହିଛି । ଦିନେ ଶ୍ରୀମୟୀଙ୍କ ପାଇଁ ପାଣ୍ଡିଆନ ଥିଲେ ଭାଗ୍ୟ ବିଧାତା । ପାଣ୍ଡିଆନଙ୍କ ବଳରେ ସେ ହୋଇଥିଲେ ବିଜେଡିରେ ବଳୀୟାନ୍ । ଜଣେ ଅନାମଧ୍ୟେୟ ନେତ୍ରୀରୁ ଦିନ କେଇଟାରେ ନାମଧ୍ୟେୟ ନେତ୍ରୀ ପାଲଟିଥିଲେ । ନବୀନଙ୍କ ପଞ୍ଚମ ପାଳି ସରକାରରେ ସେ ଯାହା ଚାହୁଁଥିଲେ ସେୟା କରୁଥିଲେ । ପାଣ୍ଡିଆନଙ୍କ ଛତ୍ରଛାୟାରେ ଏତେ କ୍ଷମତାଶାଳୀ ହୋଇଥିଲେ ଯେ ଧରାକୁ ସରା ମଣୁ ନ ଥିଲେ । ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ନଚାଇ ଦେଉଥିଲେ ।
ଅରୂପ ପଟ୍ଟନାୟକଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ଆଡ଼େଇ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ କାମ ବଢ଼ାଇ ଦେଇଥିଲେ । ମାତ୍ର ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିବା ପଛରେ ସୁଜାତାଙ୍କର ଭୂମିକା ସେତେବେଳେ ଗୁଞ୍ଜରଣ ଖେଳାଇଥିଲା । ଏହାପରଠୁ ସେ ପାଣ୍ଡିଆନଙ୍କର ବିରୋଧୀ ହୋଇଯାଇଥିଲେ । ବିଜେଡିରେ ଚର୍ଚ୍ଚା ହୁଏ ଯେ ୨୫ ବର୍ଷ ଧରି କ୍ଷମତାରେ ଥିବା ନେତା/ନେତ୍ରୀମାନେ ଯାହା କରିପାରିନାହାନ୍ତି, ଶ୍ରୀମୟୀ ୫ ବର୍ଷରେ ତାଠୁଁ ଢ଼େର୍ ଅଧିକ କରିପାରିଛନ୍ତି ।
ବର୍ଷେ ତଳେ ବିଜେଡି ତାଙ୍କୁ ପ୍ରତ୍ୟାଖ୍ୟାତ କରିବା ପରେ ଶ୍ରୀମୟୀ ପ୍ରତିଶୋଧପରାୟଣ ହୋଇଛନ୍ତି । ପାଣ୍ଡିଆନ୍ ଏବଂ ପତ୍ନୀ ସୁଜାତାଙ୍କୁ ବଦନାମ କରିବା ପାଇଁ ସେ ତାଙ୍କର ସୋସିଆଲ୍ ମିଡିଆକୁ ଅସ୍ତ୍ର କରିଛନ୍ତି । ଏବେ କୌଣସି ରାଜନୈତିକ ପରିଚୟ ନ ଥିଲେ ମଧ୍ୟ ଶ୍ରୀମୟୀଙ୍କ ପୋଷ୍ଟକୁ ବେକ୍ରିଂ ଖବର କରି ପ୍ରଚାର କରିବାର ଦାୟିତ୍ୱ ନେଇଛି ଓଟିଭି । ଆଗାମୀ ଦିନରେ ସୁଜାତାଙ୍କ ସହ ଓଟିଭି ଜରିଆରେ ତାଙ୍କର ଲଢ଼େଇ କେମିତି ହେବ ତାହା ଦେଖିବାକୁ ସମସ୍ତଙ୍କର ଅପେକ୍ଷା ଅଛି ।
ସୂଚନାଥାଉକି, ଶ୍ରୀମୟୀ ବିଜେପିରେ ମିଶିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ଚର୍ଚ୍ଚା ହେଉଛି ଯେ ଦଳର ଏକ ବଡ଼ ଗୋଷ୍ଠୀ ତାଙ୍କର ଏଣ୍ଟ୍ରିକୁ ବିରୋଧ କରୁଛନ୍ତି । ବିଶେଷ କରି ମହିଳା ନେତ୍ରୀମାନେ ତାଙ୍କର ବାଟ ଓଗାଳିଛନ୍ତି । ଏଭଳି ସ୍ୱାର୍ଥପର ଓ ଉଚ୍ଚାକାଂକ୍ଷୀ ମହିଳାଙ୍କୁ ଦଳରେ ମିଶାଇବା ବିପଦ ବୋଲି ନେତୃତ୍ୱଙ୍କୁ ସେମାନେ ଜଣାଇ ଦେଇଛନ୍ତି ।