ଭୁବନେଶ୍ୱର: ସମୀର ଦେ’ ଙ୍କ ଘରେ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସମ୍ବର୍ଦ୍ଧନା ପର୍ବ ଓ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଏକସ୍ୱରରେ ସମୀର ଅନୁଗତଙ୍କ ପ୍ରସ୍ତାବ ବିଜେପି ରାଜନୀତିକୁ ସରଗରମ କରିଛି । କେଉଁ ପରିସ୍ଥିତିରେ ବୈଜୟନ୍ତଙ୍କୁ ସମୀର ନିଜ ଘରକୁ ଡାକିନେଇ ସମ୍ବର୍ଦ୍ଧିତ କଲେ ତାହା ରାଜ୍ୟ ବିଜେପି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି । ଏହାର ଆୟୋଜନ ପଛରେ ଖୋଦ୍ ବୈଜୟନ୍ତଙ୍କ ଭୂମିକାକୁ ଅନେକ ଅଙ୍ଗୁଳି ଉଠାଇଥିବା ବେଳେ ସମୀରଙ୍କୁ ମୋହରା କରି କଟକ ଲୋକସଭା ଟିକେଟ ଦଖଲ ଉଦ୍ୟମର ଏହା ଅୟମାରମ୍ଭ ବୋଲି କୁହାଯାଉଛି ।
କଟକର ଜଣେ ବରିଷ୍ଠ ବିଜେପି ନେତାଙ୍କ ସୂଚନା ଅନୁଯାୟୀ, ବୈଜୟନ୍ତଙ୍କ ଇଚ୍ଛାରେ ଏଭଳି ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ସମୀର ଦେ ଙ୍କ ଘରେ ଭେଟଘାଟର ମୁଖ୍ୟ ସୂତ୍ରଧର ଥିଲେ ବୈଜୟନ୍ତଙ୍କ ଅଫିସ୍ ର ବିଶ୍ୱସ୍ତ ସହଯୋଗୀ । ତେବେ ସମୀରଙ୍କୁ ବୈଜୟନ୍ତ ନିଜର କରିବାକୁ କାହିଁକି ଚାହିଁଲେ ଏବଂ ସମୀର ବି ବୈଜୟନ୍ତଙ୍କ ପାଇଁ କାହିଁକି ବ୍ୟାକୁଳ ହେଲେ? ଏହାର ଗହନ ଖୋଲିବାକୁ ଯାଇ ସଂପୃକ୍ତ ନେତା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଖାସ୍ ନିକଟତର ହେଉଛନ୍ତି ସମୀର ଦେ । ସାଙ୍ଗକୁ କଟକରେ ତାଙ୍କର କିଛିଟା ଦବଦବା ରହିଛି । ବୈଜୟନ୍ତଙ୍କୁ ସାଙ୍ଗରେ ରଖିଲେ ସମୀର ତାଙ୍କର ଲାଭକ୍ଷତି ହିସାବ କରିଛନ୍ତି । ସେପଟେ ବୈଜୟନ୍ତ, ବିଜେପିରେ ଯୋଗଦେଇ କେନ୍ଦ୍ରାପଡ଼ା ଆସନରୁ ଲଢ଼ିବାକୁ ଆଉ ଚାହୁଁନାହାନ୍ତି । ଲଢ଼ିଲେ ରିସ୍କ ଅଛି ବୋଲି ଜାଣିଛନ୍ତି । ସେହିଦୃଷ୍ଟିରୁ କଟକ ଲୋକସଭା ଆସନଟି ତାଙ୍କ ପାଇଁ ନିରାପଦ । ତେଣୁ ସମୀରଙ୍କ ସହଯୋଗରେ ଆଗୁଆ ନିଜକୁ କଟକ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାର ଏହା ସୁଚିନ୍ତିତ ଯୋଜନା ।





