ଭୁବନେଶ୍ୱର: ଚତୁର୍ଥ ଦିନରେ ଆଜି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀରେ ୫୩୫୧ ପ୍ରକଳ୍ପ ପାଇଁ ୧୮୬ କୋଟି ୫୦ ଲକ୍ଷ ଦିଆଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ୩୩୫୩ ପ୍ରକଳ୍ପ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି । ଏହି ଯୋଜନାରେ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କହିଥିଲେ ଯେ ନୂଆ ଓଡିଶାରେ ଆମର ଭିତ୍ତିଭୂମି ସୁଦୃଢ ହେବ ଓ ଡେଣା ଶକ୍ତ ହେବ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ସାକାର ରୂପ ପାଇବ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଆଜିର କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାର ୮ଟି ଓ କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।
୫-ଟି ସଚିବ ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଶଶୀଭୂଷଣ ବେହେରା, ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ, ଧ୍ରୁବ ଚରଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସୌଭିକ୍ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ, ଡ. ପ୍ରମୋଦ ମଲ୍ଲିକ, ଚନ୍ଦ୍ର ସାରଥୀ ବେହେରା, ପ୍ରଶାନ୍ତ ବେହେରା, ପ୍ରତାପ ଜେନା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ । ୫-ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ୱରାନ୍ୱିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।
୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଯୋଗୁ ଓଡିଶାର ଗାଁ ଗୁଡିକ ହେବ ବିକାଶର କେନ୍ଦ୍ର। ଗାଁ ଲୋକଙ୍କୁ ଆଉ ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।
କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସାତକୋଶିଆ ଜୈବ ବିବିଧତା ପର୍ଯ୍ୟଟନ କେନ୍ଦ୍ର ପାଇଁ ୯.୮୫ କୋଟି, ମା’ ପ୍ରଗଳା ପୀଠ ପାଇଁ ୫.୨୭ କୋଟି, ମା’ ଭଟ୍ଟାରିକା ପୀଠ ପାଇଁ ୮.୫୭ କୋଟି, ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଡାଏଲିସିସ୍ କେନ୍ଦ୍ର ପାଇଁ ୧୫.୬୬ କୋଟି, ବଡମ୍ବା ମୋହନ ସୁବୁଧି ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ନରସିଂହପୁର ଜୁନିୟର କଲେଜ ପାଇଁ ୧.୨୫ କୋଟି, କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ପାଇଁ ୧.୨୫ କୋଟି, ବାଣେଶ୍ୱରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୦ କୋଟି, ନରସିଂହପୁର ଆମ ହସ୍ପିଟାଲ ପାଇଁ ୪.୧୬ କୋଟି ଟଙ୍କା ମଞ୍ଜୁର ହୋଇଛି ।
ବାଙ୍କୀ ଅଞ୍ଚଳରେ ମା’ ଚର୍ଚ୍ଚିକା ପୀଠ ଉନ୍ନତିକରଣ ପାଇଁ ୧୧.୦୩ କୋଟି, ବାଙ୍କୀ ଅଟୋନମସ୍ ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୦.୫୦ କୋଟି, ଅଂଶୁପା ଡିଗ୍ରୀ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଠଗଡ ଅଞ୍ଚଳରେ ବାବା ଧବଳେଶ୍ୱର ମନ୍ଦିର ପାଇଁ ୧୭.୫୦ କୋଟି, ସାପୁଆ ନଦୀର ସେତୁ ପାଇଁ ୬.୧୪ କୋଟି, ଗୋପବନ୍ଧୁ ଡିଗ୍ରୀ ବିଜ୍ଞାନ କଲେଜ ପାଇଁ ୧ କୋଟି, ନୂଆପାଟଣା ଚୈତନ ସାହୁ ଯୁକ୍ତ ଦୁଇ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନିଆଳି ଅଞ୍ଚଳରେ ମାଧବାନନ୍ଦ ଜୀଉ ମନ୍ଦିର ପାଇଁ ୪.୮୪ କୋଟି, ଗୋବିନ୍ଦପୁର ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, ବ୍ରାହ୍ମଣଝରିଲୋ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦୋଳ ଗୋବିନ୍ଦ ବ୍ରଜ କିଶୋର ଡିଗ୍ରୀ କଲେଜ କସର୍ଦା ପାଇଁ ୧ କୋଟି, ଅଡସପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।
କଟକ ସଦର ଅଞ୍ଚଳରେ ନେମାଳ ଅଚ୍ୟୁତାନନ୍ଦ ଦାସ ପୀଠ ପାଇଁ ୨୩.୦୩ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୪.୯୬ କୋଟି, ଚିତ୍ରୋତ୍ପଳା ନଦୀ ଉପରେ ସେତୁ ପାଇଁ ୫୩.୦୪ କୋଟି, କନ୍ଦରପୁର ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ସାଲେପୁର ଅଞ୍ଚଳରେ ମଧୁବାବୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୨୧.୦୨ କୋଟି, ସାଲେପୁର ସ୍ୱୟଂଶାସିତ କଲେଜ ପାଇଁ ୧.୫୦ କୋଟି, ବହୁଗ୍ରାମ କଲେଜ ପାଇଁ ୨ କୋଟି, ଟାଙ୍ଗୀ ମହାବିଦ୍ୟାଳୟ ପାଇଁ ୦.୫୦ କୋଟି, ଟାଙ୍ଗୀଠାରେ ଆମ ହସ୍ପିଟାଲ ପାଇଁ ୩.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହିପରି କଟକ ଜିଲ୍ଲାରେ ସମୁଦାୟ ୩୨ଟି ପ୍ରକଳ୍ପ ପାଇଁ ୨୧୩.୫୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ୫-ଟି ସଚିବ ପ୍ରକାଶ କରିଥିଲେ।
କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅଞ୍ଚଳରେ ମା’ ରାମଚଣ୍ଡୀ ମନ୍ଦିର ପାଇଁ ୫.୮୭ କୋଟି, ଜମ୍ବୁ ଲକ୍ ଏରିଆ ସୌନ୍ଦର୍ଯ୍ୟକରଣ ପାଇଁ ୭.୫୦ କୋଟି, ମାର୍ଶାଘାଇ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, ବାୟାବାବା ଡିଗ୍ରୀ କଲେଜ ପାଇଁ ୧ କୋଟି, ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ରାପଡା ଅଞ୍ଚଳରେ କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨.୭୫ କୋଟି, ତୁଳସୀ ମହିଳା ମହାବିଦ୍ୟାଳୟ ପାଇଁ ୧.୭୫ କୋଟି, ବିରୂପା କଲେଜ ପାଇଁ ୧ କୋଟି, ବଳଦେବ ଜୀଉ ମନ୍ଦିର ପାଇଁ ୫.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି।
ପାଟକୁରା ଅଞ୍ଚଳରେ ଦଧିବାମନ ଜୀଉ ପାଇଁ ୪.୯୬ କୋଟି, ଲୋକନାଥ ଡିଗ୍ରୀ କଲେଜ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, କରିଲୋପାଟଣା ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, କରିଲୋପାଟଣା ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୧ କୋଟି, ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ ୦.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜନଗର ଅଞ୍ଚଳରେ ସାତଭାୟା ଲୋକଙ୍କ ଥଇଥାନ ପାଇଁ ୨୨.୫୨ କୋଟି, କେରଡାଗଡ ବାୟାବାବା ମଠ ପାଇଁ ୪.୯୬ କୋଟି, ବଗପାଟିଆ ପଞ୍ଚୁବରାହୀ ମନ୍ଦିର ପାଇଁ ୪.୯୪ କୋଟି, କେରଡାଗଡ ଜଗନ୍ନାଥ ମନ୍ଦିର ପାଇଁ ୩.୦୩ କୋଟି, ବ୍ରାହ୍ମଣୀ ସେତୁ ପାଇଁ ୫୯.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଳି ଅଞ୍ଚଳରେ ଲକ୍ଷ୍ମୀବରାହ ଜୀଉ ମନ୍ଦିର ପାଇଁ ୭.୯୬ କୋଟି ଟଙ୍କା ମଞ୍ଜୁର କାରାଯାଇଛି। ଏହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୧ଟି ପ୍ରକଳ୍ପ ପାଇଁ ୧୪୨.୪୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ୫-ଟି ସଚିବ ପ୍ରକାଶ କରିଥିଲେ।
କେନ୍ଦ୍ରାପଡା ଜିଲ୍ଲାର ସିକିମ୍ ରୟତ ମାନଙ୍କୁ ଖୁବ ଶୀଘ୍ର ଜମିପଟ୍ଟା ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହା ଦ୍ୱାରା ଜିଲ୍ଲାର ୫୦ ହଜାର ପରିବାର ଉପକୃତ ହେବେ। ସେମାନଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ।
କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।