ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଓ ସହର ବାହାରେ ‘ମୋ ବସ୍’ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତାକାଲିଠାରୁ ବସ୍ ଧର୍ମଘଟ ଡାକରା ଦିଆଯାଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି । ଆସନ୍ତାକାଲିଠାରୁ ବସ୍ ଧର୍ମଘଟ ହେବ ବୋଲି ଆଜି ସଂଧ୍ୟାରେ ମାଲିକ ସଂଘ ଘୋଷଣା କରିଛନ୍ତି ।
ରାଜ୍ୟ ସରକାରଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ପୂର୍ବରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ଘୋଷଣା କରିଥିଲା ଘରୋଇ ବସ୍ ମାଲିକ ସଂଘ । ମାତ୍ର ଗତକାଲି ଅଚାନକ ନିଷ୍ପତ୍ତି ବଦଳାଇ ୨୦ ରୁ ବସ୍ ଧର୍ମଘଟ ଡାକରା ଦେଇଥିଲା । ଦଶହରା ବେଳେ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଧର୍ମଘଟକୁ ଟାଳିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଥିଲେ ।
ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଲିକ ସଂଘ ସହ ଆଲୋଚନା ହୋଇଥିଲା । ଆଶା କରାଯାଉଥିଲା, ମାଲିକ ସଂଘ ଧର୍ମଘଟରୁ ଓହରିବେ । ମାତ୍ର ସଂଧ୍ୟାରେ ମାଲିକ ସଂଘର ବୈଠକ ବସି ପୂର୍ବ ନିଷ୍ପତ୍ତିରେ ଅଟଳ ରହିଥିଲେ । ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ଧର୍ମଘଟ ଚାଲିବ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।