ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ସକାଳୁ ଆରମ୍ଭ ହୋଇଥିବା ଘରୋଇ ବସ୍ ଧର୍ମଘଟ ସ୍ଥଗିତ ହୋଇଛି । ସଂଧ୍ୟାରେ ରାଜ୍ୟ ସରକାର ଏବଂ ଘରୋଇ ମାଲିକ ସଂଘ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ବାହାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ
ଆସନ୍ତା ୩୧ ଯାଏ ବସ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଆଜି ରାତିରୁ ବସ୍ ଚଳାଚଳ ସ୍ୱାଭାବିକ ହେବ ।
ବସ୍ ଧର୍ମଘଟ ସ୍ଥଗିତ ଘୋଷଣା ସହ ପାର୍ବଣ ବେଳେ ସାଧାରଣ ଜନତା ଭୋଗିବାକୁ ଯାଉଥିବା ଦୁଃଖ ଦୁର୍ଦ୍ଦଶା ଦୂର ହୋଇଛି । ଦଶହରା ଛୁଟି କାଟିବାକୁ ଘରମୁହାଁ ଲୋକମାନଙ୍କ ଉପରେ ବସ୍ ଧର୍ମଘଟ ଚଡ଼କ ପକାଇଥିଲା । ମାତ୍ର ଘରୋଇ ମାଲିକ ସଂଘକୁ ମନେଇ ଧର୍ମଘଟ ଟାଳିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି ।
ଆଜି ସଂଧ୍ୟାରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସରକାରୀ ବାସଭବନରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇଥିଲା । ମନ୍ତ୍ରୀଙ୍କ ନେତୃତ୍ୱରେ ପରିବହନ କମିସନର ଅମିତାଭ ଠାକୁରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଦୀର୍ଘ ଘଣ୍ଟାଏରୁ ଅଧିକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଦଶହରା ପରେ ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ସଂଘର ଦାବିଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପାର୍ବଣ ବେଳେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆଲୋଚନାରୁ ଓହରିବା ପାଇଁ ସେ ଅନୁରୋଧ କରିଥିଲେ ।
ଏହାପରେ ମାଲିକ ସଂଘର କୋର୍ କମିଟି ବୈଠକ ବସି ୨୬ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଓ ସହର ବାହାରେ ‘ମୋ ବସ୍’ ଚଳାଚଳକୁ ବିରୋଧ କରୁଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଏଥିପାଇଁ ପକ୍ଷରୁ ପୂର୍ବରୁ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଥିଲା । ମାତ୍ର ୧୮ ତାରିଖରେ ସଂଘର କୋର୍ କମିଟି ବୈଠକରେ ନିଷ୍ପତ୍ତି ବଦଳି ଯାଇଥିଲା ଏବଂ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ତରବରିଆ ଭାବେ ୨୦ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା ।
ପାର୍ବଣ ବେଳେ ବସ୍ ଧର୍ମଘଟ ଟାଳିବା ପାଇଁ ଗତକାଲି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମାଲିକ ସଂଘର ଆଲୋଚନା ହୋଇଥିଲା । ଆଲୋଚନା ସକରାତ୍ମକ ଥିଲେ ମଧ୍ୟ ସଂଧ୍ୟାରେ ମାଲିକ ସଂଘର ବୈଠକ ବସି ପୂର୍ବ ନିଷ୍ପତ୍ତିରେ ଅଟଳ ରହିଥିଲେ । ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ଧର୍ମଘଟ ଚାଲିବ ବୋଲି ସଂଘର ସାଧାରଣ ସମ୍ପାଦକ ଘୋଷଣା କରିବା ପରେ ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିଲା ।
ବସ୍ ଧର୍ମଘଟ ଯୋଗୁଁ ସାରା ରାଜ୍ୟରେ ଲୋକମାନେ ପ୍ରବଳ ହନ୍ତସନ୍ତ ହୋଇଥିଲେ । ଓଏସଆରଟିସି ଏବଂ ମୋ ବସ୍ ରେ ପ୍ରବଳ ଭିଡ଼ ହୋଇଥିଲା । ଟ୍ରେନ୍ ରେ ବି ଅସମ୍ଭବ ଭିଡ଼ ହୋଇଥିଲା । ଯାତ୍ରୀଙ୍କ ସୁବିଧା ପାଇଁ ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ କରାଯାଇଥିଲା । ଧର୍ମଘଟ ଯୋଗୁଁ ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଶହ ଶହ ଯାତ୍ରୀ ଅଟକି ରହିଥିଲେ ।