ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ କଠୋର ଆଭିମୁଖ୍ୟରୁ ବର୍ତ୍ତି ନାହାନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି । ଦୁର୍ନୀତିଗ୍ରସ୍ତ ଏହି ବାବୁଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତ ୧୬ ତାରିଖରେ ଭିଜିଲାନସ୍ ତାଙ୍କୁ ଗିରଫ କରିଥିଲା । ଏବେ ସେ ଚୌଦ୍ୱାର୍ ଜେଲ୍ ରେ ବନ୍ଦୀ ଜୀବନ କାଟୁଛନ୍ତି ।
ତ୍ରିନାଥ ମିଶ୍ରଙ୍କୁ ମିଶାଇ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦେଲେଣି । ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ଶ୍ରୀ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ ।
ସୂଚନାଯୋଗ୍ୟ, ୧୯୮୫ ମସିହାରେ ଓଡ଼ିଶା ପୁଲିସରେ ଏସଆଇ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ତ୍ରିନାଥ ମିଶ୍ର ଏବେ ଅତିରିକ୍ତ ଏସପି(ଯୋଗାଯୋଗ) ଭାବେ କାର୍ଯ୍ୟ କରୁଥିଲେ । ଚାକିରି ସରିବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ତାଙ୍କ ବିରୋଧରେ ପୁଳା ପୁଳା ଅଭିଯୋଗ ଭିଜିଲାନସ୍ ପାଖକୁ ଆସିଥିଲା । ଗତ ୧୫ ତାରିଖ ବଡ଼ି ସକାଳୁ ଭିଜିଲାନସ୍ ଟିମ୍ ତାଙ୍କର ଏବଂ ସମ୍ପର୍କୀୟଙ୍କର ଏକକାଳୀନ ୧୧ ଟି ଘରେ ଚଢ଼ଉ କରିଥିଲା । ତାଙ୍କର ସମ୍ପତ୍ତି ବାଡ଼ି, ଦାମୀ ଗାଡ଼ିମଟର ଭିଜିଲାନସ ଅଧିକାରୀଙ୍କ ଆଖି ଖୋସି ଦେଇଥିଲା ।
ଦୁଇଦିନର ଚଢ଼ଉ ପରେ ତାଙ୍କର ଠାବ ସମ୍ପତ୍ତି ପରିମାଣ ୧୧ କୋଟି ୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା । ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ସମ୍ପତ୍ତି ଥିଲା । ଯାହା ତାଙ୍କ ଆୟର ୫୦୦% ଅଧିକ ବୋଲି ଜଣାପଡ଼ିଛି ।