ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମ୍ ଯାଇ ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ମହିଳା ଫୁଟବଲ ଲିଗ୍ ର ମ୍ୟାଚ୍ ଦେଖିଥିଲେ ଏବଂ ଖେଳାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କଳିଙ୍ଗ ଷ୍ଟାଡ଼ିୟମ୍ ରେ ଆଜି ମୁଖ୍ୟମନ୍ତ୍ରୀ କିନ୍ତୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲେ । ଧଳା କୂର୍ତ୍ତା ପାଇଜାମା ବଦଳରେ ମୁଖ୍ୟମନ୍ତ୍ରୀ ପିନ୍ଧିଥିଲେ କଳା ଟ୍ରାକ୍ ପ୍ୟାଣ୍ଟ୍ ଏବଂ ଧଳା ଟି ସାର୍ଟ ।

ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ୍ ରେ ପହଞ୍ଚିବା ପରେ ଆଗ ଯାଇଥିଲେ ନିର୍ମାଣାଧୀନ ଇନଡୋର ଆଥଲେଟିକ୍ ଷ୍ଟାଡିୟମ୍ । ଏହାର ନିର୍ମାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେବା ସହ ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।
ଦେଶର ସର୍ବପ୍ରଥମ ଇନଡୋର୍ ଆଥଲେଟିକ୍ ଷ୍ଟାଡିୟମ୍ ମାନ୍ୟତା ପାଇବାକୁ ଯାଉଥିବା ଏହି ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଚଳିତ ବର୍ଷ ସୁଦ୍ଧା ଏହାର ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଆଥଲେଟିକ କ୍ରୀଡ଼ା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ୧୦୦ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ରହିଛି ।

ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମାଣାଧୀନ ଟେନିସ୍ ସେଣ୍ଟର ପ୍ରକଳ୍ପ ବୁଲି ଦେଖିଥିଲେ । ଏହି ଟେନିସ୍ ସେଣ୍ଟରରେ ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ୍ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ଇନଡୋର୍ ଆକ୍ଟାଟିକସ୍ ଷ୍ଟାଡିୟମ୍, ହକି ଏଚପିସି ବିଲଡିଂ ଓ ଷ୍ଟାଫ୍ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ମଧ୍ୟ ବୁଲି ଦେଖିଥିଲେ ।
ଶେଷରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ୍ ର ମୁଖ୍ୟ ପଡ଼ିଆରେ ଚାଲିଥିବା ଓଡ଼ିଶା ମହିଳା ଫୁଟବଲ୍ ଲିଗ୍ ର ମ୍ୟାଚ୍ ଦେଖିଥିଲେ ଏବଂ ଖେଳାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଜାତୀୟ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ୍ ଓ କମନୱେଲଥ୍ ଗେମସ୍ ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଓ କ୍ରୀଡ଼ା ସଚିବ ଭିନୀଲ୍ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସ୍ନେହବୋଳା କଥାରେ ଆତ୍ମହରା ହୋଇଗଲେ ମନୀଷା








