ଭୁବନେଶ୍ୱର: ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କ ନାଁରେ ଗୋଟିଏ ବି ଅପରାଧ ମାମଲା ନାହିଁ । ନିଜର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ସେ ବଜାୟ ରଖିଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର) ଓ ଇଲେକ୍ସନ୍ ୱାଚ୍ ପକ୍ଷରୁ ଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ସୂଚୀତ ହୋଇଛି । ସେପଟେ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ୩ ନମ୍ବର ସ୍ଥାନରେ ଅଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫୧୦ କୋଟି ସମ୍ପତ୍ତି ସହ ତାଲିକାର ଶୀର୍ଷରେ ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବା ତଳେ ଅଛନ୍ତି । ତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।
୨୮ ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ତଥ୍ୟକୁ ନେଇ ଏଡିଆର୍ ଓ ଇଲେକ୍ସନ୍ ୱାଚ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।
ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସମ୍ପତ୍ତି ପରିମାଣ ୫୧୦ କୋଟି ୩୮ ଲକ୍ଷ ୧୬ ହଜାର ୫୬୬ ଟଙ୍କା । ଦ୍ୱିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଅଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୬୩ କୋଟି ୫୦ ଲକ୍ଷ ୫୮ ହଜାର ୧୪୨ ଟଙ୍କା । ତୃତୀୟ ସ୍ଥାନରେ ଥିବା ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ପରିମାଣ ହେଉଛି ୬୩ କୋଟି ୮୭ ଲକ୍ଷ ୪୧ ହଜାର ୮୧୬ ଟଙ୍କା ।
ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ତଳଆଡୁ ପ୍ରଥମରେ ଥିବା ମମତା ବାନାର୍ଜୀଙ୍କର ସମ୍ପତ୍ତି ପରିମାଣ ହେଉଛି ୧୫ ଲକ୍ଷ ୩୮ ହଜାର ୨୯ ଟଙ୍କା । ଆହୁରି ବଡ଼ କଥା ହେଉଛି, ତାଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ । ମମତାଙ୍କ ଉପରକୁ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ତାଙ୍କର ୧ କୋଟି ୧୮ ଲକ୍ଷ ୭୫ ହଜାର ୭୬୬ ଟଙ୍କାର ସମ୍ପତ୍ତି ଅଛି । ବିଜୟନଙ୍କ ଉପରେ ଅଛନ୍ତି ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ୧ କୋଟି ୨୭ ଲକ୍ଷ ୯୮୫ ଟଙ୍କାର ସମ୍ପତ୍ତି ତାଙ୍କର ।
ଧନୀ ମୁଖ୍ୟମନ୍ତ୍ରୀଙ୍କ କ୍ରମାନ୍ୱୟ ତାଲିକା: ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ନାଗାଲ୍ୟାଣ୍ଡ, ପୁଡୁଚେରୀ, ତେଲେଙ୍ଗାନା, ଛତିଶଗଡ଼, ଆସାମ, ମେଘାଳୟ, ତ୍ରିପୁରା, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ତାମିଲନାଡୁ, ଝାଡ଼ଖଣ୍ଡ, ଗୁଜୁରାଟ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ସିକିମ୍, ମିଜୋରା. ଦିଲ୍ଲୀ, ବିହାର, ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ହରିଆନା, କେରଳ, ପଶ୍ଚିମବଙ୍ଗ ।
୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ଧମକ ଭଳି ସଙ୍ଗୀନ ମାମଲା ବି ରହିଛି । ଅପରାଧ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସବୁଠାରୁ ଆଗରେ ଅଛନ୍ତି । ତାଙ୍କ ବିରୋଧରେ ମୋଟ ୬୪ ଟି ମାମଲା ଅଛି । ସେଥିରୁ ୩୭ଟି ମାମଲା ହେଉଛି ଅତି ଗୁରୁତର । ତାଙ୍କ ପଛକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଙ୍କ ନାଁ ଅଛି । ତାଙ୍କ ବିରୋଧରେ ୧୦ ଟି ସଙ୍ଗୀନ ମାମଲା ସହ ମୋଟ ୪୭ ଟି ମାମଲା ରହିଛି । ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଅଛନ୍ତି । ତାଙ୍କ ବିରୋଧରେ ୩୫ ଟି ଗୁରୁତର ମାମଲା ସହ ମୋଟ ୩୮ ଟି ମାମଲା ରହିଛି ।
ମୁଖ୍ୟମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା: ଜଣେ ମୁଖ୍ୟମନ୍ତ୍ରୀ(ମହାରାଷ୍ଟ୍ର) ମାଟ୍ରିକ୍ ପାଶ୍ କରିଛନ୍ତି । ୩ ମୁଖ୍ୟମନ୍ତ୍ରୀ(ଝାଡ଼ଖଣ୍ଡ,ପଞ୍ଜାବ, କେରଳ) ଦ୍ୱାଦଶ ପାଶ୍ କରିଛନ୍ତି । ୧୧ ମୁଖ୍ୟମନ୍ତ୍ରୀ ସ୍ନାତକ, ୪ ମୁଖ୍ୟମନ୍ତ୍ରୀ ସ୍ନାତକ ପ୍ରଫେସନାଲ୍(ପୁଡୁଚେରୀ, କର୍ଣ୍ଣାଟକ, ଦିଲ୍ଲୀ, ବିହାର), ୯ ମୁଖ୍ୟମନ୍ତ୍ରୀ ସ୍ନାତକୋତ୍ତର, ଜଣେ ମୁଖ୍ୟମନ୍ତ୍ରୀ (ଗୁଜୁରାଟ) ଡିପ୍ଲୋମା ଏବଂ ଜଣେ ମୁଖ୍ୟମନ୍ତ୍ରୀ(ଆସାମ) ଡକ୍ଟୋରେଟ୍ ଡିଗ୍ରୀଧାରୀ ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବୟସ: ୩୦ ରୁ ୪୦ ବର୍ଷ ମଧ୍ୟରେ ଅଛନ୍ତି ଜଣେ ମୁଖ୍ୟମନ୍ତ୍ରୀ । ୪୧ ରୁ ୫୦ ବର୍ଷ ମଧ୍ୟରେ ୭ ଜଣ ମୁଖ୍ୟମନ୍ତ୍ରୀ, ୫୧ ରୁ ୬୦ ବର୍ଷ ମଧ୍ୟରେ ୯ ଜଣ ମୁଖ୍ୟମନ୍ତ୍ରୀ, ୬୧ ରୁ ୭୦ ବର୍ଷ ମଧ୍ୟରେ ୯ ଜଣ ମୁଖ୍ୟମନ୍ତ୍ରୀ ଏବଂ ୭୧ ରୁ ୮୦ ବର୍ଷ ମଧ୍ୟରେ ୪ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ।







