ଭୁବନେଶ୍ୱର: ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିବେ ଟଙ୍କଧର ତ୍ରିପାଠୀ । ବିଜେପି କେନ୍ଦ୍ରୀୟ କମିଟି ତାଙ୍କ ନାଁ ଉପରେ ମୋହର ମାରିଛି । ଆଜି ବିଳମ୍ବିତ ରାତିରେ ତାଙ୍କ ନାଁ ଘୋଷଣା କରାଯାଇଛି । ଟଙ୍କଧରଙ୍କ ପ୍ରାର୍ଥୀତ୍ୱକୁ ନେଇ ପୂର୍ବରୁ ଆଭାସ ମିଳିସାରିଥିଲା । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ସହ ତାଙ୍କର ଲଢ଼େଇ ହେବ ।
ସୁନ୍ଦରଗଡ଼ ବାସିନ୍ଦା ଟଙ୍କଧର ବିଜେପିର ଜଣେ ଟାଣୁଆ ଯୁବନେତା । ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସେ ସଭାପତି ଥିଲେ । ବର୍ତ୍ତମାନ ସେ ଦଳର ସମ୍ପାଦକ ପଦରେ ଅଛନ୍ତି । ନବ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ସୁନିଶ୍ଚିତ ଜାଣି ସେ ଝାରସୁଗୁଡ଼ାରେ ଦଳୀୟ କାର୍ଯ୍ୟକ୍ରମକୁ ସକ୍ରିୟ କରିଥିଲେ । ତେବେ ତାଙ୍କର ପ୍ରାର୍ଥୀତ୍ୱକୁ ସ୍ଥାନୀୟ ବିଜେପି ପକ୍ଷରୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଥିଲା ।ଏହାକୁ ନେଇ ବିଜେପି ଦୁଇଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗିଥିଲା । ଯାହା ଦଳୀୟ ନେତୃତ୍ୱକୁ ଚିନ୍ତାରେ ପକାଇଥିଲା ।
ସୂଚନାଯୋଗ୍ୟ, ଏପ୍ରିଲ ୧୩ ତାରିଖ(ଗୁୁରୁବାର) ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ୨୦ ତାରିଖ ଯାଏ ଚାଲିବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏପ୍ରିଲ ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୧୫ ତାରିଖରେ ନାମାଙ୍କପତ୍ର ଦାଖଲ କରିବେ । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ତାରିଖ ଜଣାପଡ଼ିନାହିଁ ।