ଭୁୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ଆସନ୍ତାକାଲିଠାରୁ ୧୬ ତାରିଖ ଯାଏଁ ବନ୍ଦ ରହିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହା ଲାଗୁ ହେବ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରୁ ଫେରିବା କ୍ଷଣି ସ୍ଥିତିର ସମୀକ୍ଷା କରି ଏହି ଛୁଟି ଘୋଷଣା କରିଛନ୍ତି । ଏଥିସହ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଏବଂ ବିଜୁଳି ଯୋଗାଣକୁ ସୁନିୟନ୍ତ୍ରିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜଧାନୀ ଭୁବନେଶ୍ୱର ସମେତ ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୬ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଆଗାମୀ ୧୫ ତାରିଖ ଯାଏଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିବ ଏବଂ ତାପମାତ୍ରା ଆହୁରି ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଜାପାନରୁ ଫେରିଲା ମାତ୍ରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ । ପ୍ରଥମେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ଶକ୍ତି ବିଭାଗକୁ ସତର୍କ କରିଦେଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ନ ରୁହେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରେ ବିଦୁ୍ୟତ ଚାହିଦା ମେଣ୍ଟାଇବା ପାଇଁ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବେ । ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପାଣିପାଗ ସଂସ୍ଥାଗୁଡ଼ିକ ସହିତ ଯୋଗସୂତ୍ର ରକ୍ଷା କରି ମୌସୁମୀ ସମ୍ପର୍କରେ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ବୈଠକରେ ବିଏସକେୱାଇ ଯୋଜନା ଏବଂ କୋଭିଡ୍ ସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ । ବିଏସକେୱାଇ ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ହିତାଧିକାରୀମାନେ ଯେଭଳି କୋ÷ଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ । ରାଜ୍ୟରେ କୋଭିଡ୍ ସ୍ଥିତିକୁ ଭଲ ଭାବେ ମନିଟର୍ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏହି ବୈଠକକୁ ସଂଯୋଜନା କରିଥିଲେ ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।







