ଭୁୁବନେଶ୍ୱର: ରାଜଧାନୀ ଛାତି ଉପରେ ଜଣେ ନାବାଳିକା ୧୫ ଦିନ ଧରି ଗଣଦୁଷ୍କର୍ମର ଶିକାର ହେବା ଅଭିଯୋଗ ତାଙ୍କ ମାଆ ମହିଳା ଥାନାଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ମହିଳା କମିଶନଙ୍କ ପାଖରେ ଅଭିଯୋଗ ଆଣିଛନ୍ତି । ପୁଲିସ ମାମଲାର ଛାନଭିନ୍ କରୁଥିବା ବେଳେ ରାଜ୍ୟର ପ୍ରମୁଖ ଟିଭି ଚାନେଲ୍ ଓଟିଭି ଏହି ସମ୍ବେଦନଶୀଳ ଖବରକୁ ଚାପି ରଖିଥିଲା । ଏବେ ତାହାକୁ ଖବର ଆକାରରେ ନୁହେଁ, ବରଂ ଅଦାଲତ ଭଳି ରାୟ ଶୁଣାଇଛି । ସଂପୃକ୍ତା ମହିଳାଙ୍କ ଅଭିଯୋଗ ମିଥ୍ୟା, ଭିତ୍ତିହୀନ ବୋଲି ଲୋକଙ୍କୁ ଜଣାଉଛି ।
ଓଟିଭି ଖବରର ଏହି ବ୍ୟତିକ୍ରମ ଓ ବ୍ୟସ୍ତତା ପଛର କାରଣ ହେଉଛି, ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନିଜ ଚାନେଲ୍ କର୍ମଚାରୀ । ୨ ଜଣ ଅଫିସ୍ ରେ କାମ କରୁଛନ୍ତି ଆଉ ୨ ଜଣ ଅଫିସ୍ ସୁରକ୍ଷାକର୍ମୀ । ଦ୍ୱିତୀୟ ବଡ଼ କାରଣ ହେଉଛି ଏହି ମାମଲାରେ ଛନ୍ଦି ହୋଇଛନ୍ତି ସ୍ୱୟଂ ବସ୍ ଜାଗୀମଙ୍ଗତ ପଣ୍ଡା ।
ମାମଲା ସମ୍ପର୍କରେ ଜାଗୀ ପ୍ରଥମରୁ ଅବଗତ ଥିଲେ ମଧ୍ୟ ଚାପି ଦେବାକୁ ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ବିସ୍ତୃତ ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ଆଜି ମହିଳା କମିଶନଙ୍କୁ ଭେଟି ମଧ୍ୟ ଏହା ଜଣାଇଛନ୍ତି । ପୀଡ଼ିତାଙ୍କ ମାଆ ଓ ଏମଡି ଜାଗୀଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ କ୍ଲିପ୍ ଦିଆଯାଇଛି ।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କଠାରେ ପୀଡ଼ିତାଙ୍କ ମାଆ ଦେଇଥିବା ପିଟିସନ୍ ଉପରେ କମିଶନ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ୪୮ ଘଣ୍ଟାର ମହଲତ୍ ଦେଇଛନ୍ତି । ସେହିଭଳି ମହିଳା କମିଶନଙ୍କ ପକ୍ଷରୁ ୧୫ ଦିନ ମଧ୍ୟରେ ପୁଲିସଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଗାଯାଇଛି ।
ଦୁଇ କମିଶନଙ୍କ ଏଭଳି ତତ୍ପରତା ଓଟିଭି କର୍ତ୍ତୃପକ୍ଷଙ୍କୁ ବିଚଳିତ କରିଛି । କମିଶନଙ୍କୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ଓଲଟି ମାମଲାକୁ ରାଜନୀତି ଜାଲରେ ଛନ୍ଦିବାକୁ ଉଦ୍ୟମ କରିଛି । କମିଶନଙ୍କ ଉପରେ କାହାରି ଚାପ ଅଛି ବୋଲି ପ୍ରଶ୍ନ କରିଛି ।
ଓଟିଭି ବିଚାରରେ ସଂପୃକ୍ତ ମହିଳା ନିଜର ୧୩ ବର୍ଷର ଝିଅକୁ ଧର୍ଷିତା ସଜାଇ ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲିଂ କରି ଅର୍ଥଦାବି କରୁଥିଲେ । ସଫଳ ନ ହେବାରୁ ଥାନାରେ ଏତଲା ଦେଇଛନ୍ତି । ସଂପୃକ୍ତା ନାବାଳିକାକୁ ଓଟିଭି କର୍ମଚାରୀମାନେ ୧୫ ଦିନ ଧରି ଗଣଦୁଷ୍କର୍ମ କରିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କର୍ତ୍ତୃପକ୍ଷ ସିଧା ସିଧା ରାୟ ଶୁଣାଇଛନ୍ତି ।
ମଙ୍ଗଳବାର ଦିନ ପ୍ରଥମେ ଓଟିଭି କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ନାଁରେ ଏହି ଲଜ୍ଜା ଓ ଅମାନବୀୟ ସଫେଇ ରଖିଥିବା ବେଳେ ଆଜି ସେଥିରେ ନୂଆ ତଥ୍ୟ ଯୋଡିଛି । ନାବାଳିକା ଗଣଦୁଷ୍କର୍ମ ଭଳି ଏକ ଗୁରୁତର ସ୍ପର୍ଶକାତର ପ୍ରସଙ୍ଗରେ ଓଟିଭି ପୁଲିସକୁ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଜଜମେଣ୍ଟ ଶୁଣାଇ କେବଳ ନିଜଠାରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିନି । ବରଂ ନିଜ ସଂସ୍ଥାରେ କିଛି ମାସ ତଳେ କାମ କରୁଥିବା ଜଣେ ବିଧବା ମହିଳା ଓ ତାଙ୍କ ୧୩ ବର୍ଷର ଝିଅର ଇଜ୍ଜତ ଉପରେ ପ୍ରଶ୍ନ ତୋଳିଛି ।
ଅନ୍ୟପକ୍ଷରେ ଏତେବଡ଼ ମାମଲାକୁ ପୁଲିସ ଯେଭଳି ହାଣ୍ଡଲ୍ କରିବା କଥା ତାହା ଯେ କରୁନାହିଁ ତାହା ଜଳ ଜଳ । ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟ ଲାଗିଛି । ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ନ ପାରିବା ଏବଂ ମାମଲାରେ ଯୋଡି ହୋଇଥିବା ସଂସ୍ଥାର ଏମଡି ଜାଗୀ ପଣ୍ଡାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାର ରହସ୍ୟ ଉପରେ ପ୍ରଶ୍ନ ଉଠିଲାଣି । ଅଭିଯୁକ୍ତମାନେ ଓଟିଭି କର୍ମଚାରୀ ହୋଇଥିବାରୁ ମାମଲାକୁ ରଫାଦଫା କରିବାକୁ ପୁଲିସ ଉପରେ ଚାପ ଅଛି କି? ମାମଲାରେ ଜାଗୀ ପଣ୍ଡାଙ୍କ ନାଁ ସିଧାସଳଖ ଆସିଥିବାରୁ ପୁଲିସ ହାତ ଥରୁଛି କି?
ଏଭଳି ଏକ ଗମ୍ଭୀର ମାମଲାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ବିଜେଡ଼ିର ମହିଳା ସଂଗଠନ ହେଉ କି କଂଗ୍ରେସ ଓ ବିଜେପିର ମହିଳା ସଂଗଠନ ଏପର୍ଯ୍ୟନ୍ତ କାହାରି ପାଟି ଖୋଲୁନାହିଁ । ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ଲଢ଼ୁଥିବା ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ଚୁପ୍ ରହିଛନ୍ତି । ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ରାଜରାସ୍ତା ଫଟାଉଥିବା ନାରୀନେତ୍ରୀ ଓ ସଂଗଠନଗୁଡ଼ିକ ନାବାଳିକା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଉପରେ ନିରବ ରହିବା ପଛରେ ରହସ୍ୟ ବୁଝାପଡୁନାହିଁ ।