ଭୁବନେଶ୍ୱର: ନିଜର ନାବାଳିକା ଝିଅକୁ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ମା’ଓ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପର ଏହା ଅଡିଓ କ୍ଲିପ୍ । ଯାହା ଏବେ ଭାଇରାଲ୍ ହୋଇଛି । ନିଜ ଝିଅ ଉପରେ ହୋଇଥିବା ଜଘନ୍ୟ କାଣ୍ଡ ସମ୍ପର୍କରେ ମହିଳାଜଣଙ୍କ ଏମଡିଙ୍କୁ ଅବଗତ କରାଇ ତାଙ୍କର ସାହାଯ୍ୟଭିକ୍ଷା କରୁଛନ୍ତି । ସୂଚନାଥାଉକି, ଅଭିଯୋଗକାରିଣୀ ମହିଳା ଓଟିଭିରେ ରିସେପସିନିଷ୍ଟ ଭାବେ କାର୍ଯ୍ୟ କରୁଥିଲା ବେଳେ(ଦୁଇମାସ ତଳେ ଚାକିରିରୁ ବିଦା ହୋଇଛନ୍ତି), ଅଭିଯୁକ୍ତମାନେ ଓଟିଭିର ୪ ଜଣ କର୍ମଚାରୀ ।
ଗତକାଲି ପୀଡ଼ିତାଙ୍କ ମା’ ରାଜ୍ୟ ମହିଳା କମିଶନଙ୍କୁ ଭେଟିବା ବେଳେ ତାଙ୍କର ଓକିଲ ଏହି ଅଡିଓ କ୍ଲିପ୍ ଦାଖଲ କରିଥିଲେ । ଅର୍ଥାତ୍ ଅଭିଯୋଗ ସଂକ୍ରାନ୍ତରେ ପ୍ରଥମରୁ ଓଟିଭି ଏମଡି ଅବଗତ ଥିଲେ । ଏବେ ଓଟିଭି କର୍ତ୍ତୃପକ୍ଷ ମାମଲାକୁ ମିଛ ବୋଲି ଫାଙ୍କିବା ସହ ସଂପୃକ୍ତ ମହିଳା ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବାକୁ ଏଭଳି ନାଟକବାଜି କରିଥିବା ସଫେଇ ଦେଇଛନ୍ତି । ଅନ୍ୟପକ୍ଷରେ ଉକ୍ତ ଅଡ଼ିଓ କ୍ଲିପ୍ କୁ ପ୍ରମାଣ ଭାବେ ରଖି ଓଟିଭି କର୍ତ୍ତୃପକ୍ଷ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ।
ତେବେ କିଏ ସତ କହୁଛନ୍ତି ତାହା ତଦନ୍ତରୁ ଜଣାପଡ଼ିବାକୁ ଥିଲା ବେଳେ ପୁଲିସର ଭୂମିକା ସନ୍ଦେହଘେରକୁ ଆସିଛି । ଜଣେ ନାବାଳିକା ଉପରେ ଗଣଦୁଷ୍କର୍ମ ଅଭିଯୋଗ ପାଇବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିବା ପଛରେ କ’ଣ ରହସ୍ୟ ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।
ଉକ୍ତ ଅଡିଓ କ୍ଲିପ୍ ର ସତ୍ୟାସତ୍ୟ ପୁଲିସର ତଦନ୍ତ ସାପେକ୍ଷ ।