ଭୁବନେଶ୍ୱର: ଚଳିତ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କର ଜୀବିକା ନିର୍ବାହ ଲାଗି ଏହି ସହାୟତା ଦିଆଯିବ ।
୩୩% ରୁ ଅଧିକ ଚାଷଜମି କ୍ଷତି ପାଇଁ ଅଣଜଳସେଚିତ ଜମିର ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା, ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ୧୩,୫୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟରପିଛା ୧୮,୦୦୦ ଟଙ୍କା ଇନପୁଟ୍ ସବସିଡି ଆକାରରେ ମିଳିବ । ପ୍ରକୃତ ଚାଷୀମାନଙ୍କୁ ଏହି ସହାୟତା ଦିଆଯିବ । ବାରମାସୀ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ ୧ହଜାର ଟଙ୍କା ଇନପୁଟ୍ ସବସିଡି ମିଳିବ ।
ରବି ଚାଷ ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ଡାଲିଜାତୀୟ ଶସ୍ୟ ମଂଜି ଥିବା ମିନିକିଟ୍ ଦିଆଯିବ । ରବି ଶସ୍ୟ ଉତ୍ପାଦନ ପାଇଁ ୬୦ ହଜାର ଏକର ଜମିକୁ ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ ଭାବେ ନିଆଯିବ ।
ବନ୍ୟା ବିପନ୍ନ ଚାଷୀଙ୍କୁ ୫୦% ସବସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ । ଏଥିପାଇଁ ସର୍ବାଧିକ ୧୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ୫୦% ସବସିଡିରେ ୫ ହଜାର ପାୱାର୍ ସ୍ପ୍ରେୟର୍ ଯୋଗାଇ ଦିଆଯିବ । ବ୍ୟାଟ୍ରି ଦ୍ୱାରା ପରିଚାଳିତ ସ୍ପ୍ରେୟାର୍ ପାଇଁ ସର୍ବାଧିକ ୩ହଜାର ଏବଂ ହାତ ସ୍ପ୍ରେୟାର୍ ପାଇଁ ସର୍ବାଧିକ ୬୦୦ ଟଙ୍କା ଦିଆଯିବ ।
ମଂଜି ଅମଳ କାର୍ଯ୍ୟକ୍ରମରେ ୧ ଲକ୍ଷ ଚାଷୀଙ୍କୁ ଟ୍ରେନିଂ ଦିଆଯିବ । ୧ ଲକ୍ଷ ଏକର ଜମିରେ ରବି ଫସଲ ପାଇଁ ସେମାନଙ୍କୁ ମାଗଣାରେ ସାର/ ପିଡିଆ ଯୋଗାଇ ଦିଆଯିବ ।
ରବି ଫସଲ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ମଂଜି(କ୍ୱାଲିଟି ସାର୍ଟିଫାଏଡ ସିଡସ୍) ଯୋଗାଇ ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ସହାୟତା ବାବଦରେ ୭୫% ସବସିଡି ପ୍ରଦାନ କରାଯିବ ।
ପ୍ରଭାବିତ ଅଞ୍ଚଳରେ ୧୦ କୋଟି ଟଙ୍କା ଫାର୍ମ ମେକାନାଇଜେସନ୍ ସବସିଡି ବଣ୍ଟନ କରାଯିବ ।
ଚାଷୀଙ୍କୁ ଶସ୍ୟ ବୀମା ସ୍କିମ୍ ର ସୁବିଧା ପ୍ରଦାନ ପାଇଁ ଶସ୍ୟ କ୍ଷୟକ୍ଷତି ଆକଳନ ଯଥାଶୀଘ୍ର କରିବାକୁ ପଦକ୍ଷେପ ନିଆଯିବ ।
୧ ଲକ୍ଷ ଚାଷୀଙ୍କୁ କିଟ୍ ପିଛା ୧୩୦ ଟଙ୍କାରେ ପରିବା କିଟସ୍ ଯୋଗାଇ ଦିଆଯିବ । ସେଥିରେ ରହିବ ପାଳଙ୍ଗ, ବିନସ୍, ଟମାଟୋ, ଲଙ୍କା ଏବଂ ମୂଳା ।
୭୫ ହଜାର ଚାଷୀଙ୍କୁ ବାଡିରେ ଲଗାଇବା ପାଇଁ ଜଣପିଛା ୧୬୦ ଟଙ୍କାରେ ଦିଆଯିବ ୧୦ଟି ଲେଖାଏଁ ଅମୃତଭଣ୍ଡା, କଦଳୀ ଏବଂ ଛୁଇଁଗଛ ।
୧୦ ହଜାର ଛତୁ ୟୁନିଟ୍ ର ପୁନରୁଦ୍ଧାର ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।
୩୩% ରୁ ଅଧିକ ଶସ୍ୟ କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିଥିବା ଅଗ୍ରୀମ କ୍ଷୁଦ୍ର ଖରିଫ୍ ଋଣ ମଧ୍ୟମ ଋଣକୁ ପରିବର୍ତ୍ତନ କରାଯିବ ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ରୀମ ଖରିଫ୍ କ୍ଷୁଦ୍ର ଋଣ ର ଆଦାୟ ସମୟସୀମା ୧ ବର୍ଷ ବୃଦ୍ଧି କରାଯାଇଛି । ଏଥିପାଇଁ ସର୍ବୋଚ୍ଚ ସମୟ ସୀମା ୨୦୨୨ ସେପ୍ଟେମ୍ବର ୩୦ ରଖାଯାଇଛି ।
ଆସନ୍ତା ଅକ୍ଟୋବର ୧ ରୁ ଆରମ୍ଭ ହେଉଥିବା ରବି ଋତୁ ପାଇଁ ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ନଗଦ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
ସର୍ବାଧିକ ୩ଟି ଦୁଧିଆଳୀ ଗାଈ ଏବଂ ବଳଦ ହରାଇଥିବା ଚାଷୀଙ୍କୁ ଗୋଟା ପିଛା ୩୦ ହଜାର ଟଙ୍କା, ଅଣଦୁଧିଆଳୀ ପଶୁ ପାଇଁ ଗୋଟା ପିଛା ୨୫ ହଜାର ଟଙ୍କା, ସର୍ବାଧିକ ୬ ଟି ବାଛୁରୀ ପର୍ଯ୍ୟନ୍ତ ଗୋଟା ମିଛା ୧୬ ହଜାର ଟଙ୍କା, ୩୦ ଟି ଛେଳି ପର୍ଯ୍ୟନ୍ତ ଛେଳିପିଛା ୩ ହଜାର ଏବଂ ପାଉଟ୍ରି ବାର୍ଡ ପିଛା ସର୍ବାଧିକ ୫ ହଜାର ଟଙ୍କା ସହାୟତା ଦିଆଯିବ ।
ମାଛଚାଷ: କ୍ଷତିଗ୍ରସ୍ତ ମାଛଚାଷୀଙ୍କୁ ପୋଖରୀ ମରାମତି ବାବଦରେ ହେକ୍ଟର ପିଛା ୧୨,୨୦୦ ଟଙ୍କା ସହାୟତା ଦିଆଯିବ । ସେହିଭଳି କ୍ଷତିଗ୍ରସ୍ତ ମାଛ ମଂଜି ଉତ୍ପାଦନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଛା ୮,୨୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରାଯିବ ।
ହସ୍ତତନ୍ତ ବୁଣାକାରଙ୍କ କ୍ଷତି ଭରଣା ପାଇଁ ମୁଣ୍ଡପିଛା ମିଳିବ ୪,୧୦୦ ଟଙ୍କା ।
କର୍ମନିଯୁକ୍ତି: ମନରେଗା କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବ । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମପଞ୍ଚାୟତ ରାସ୍ତା, ପଡଇଆ, କେନାଲ୍ ଇତ୍ୟାଦିର ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ।