ଭୁବନେଶ୍ୱର/ମୁମ୍ବାଇ: ଓଡ଼ିଶା ଯାତ୍ରା ଜଗତ ଓ ବଲିଉଡ୍ ଜଗତ ପାଇଁ ଆଜି ଦୁଇଟି ଦାରୁଣ ଦୁଃଖଦ ଖବର ଆସିଛି । ଯାତ୍ରା ଦୁନିଆରେ ଭିକୁ ସେଠ୍ ଭାବେ ଜଣାଶୁଣା ପ୍ରସିଦ୍ଧ ଖଳନାୟକ ମହେନ୍ଦ୍ର ଦାସଙ୍କର ହୃଦଘାତ୍ ରେ ପରଲୋକ ଘଟିଛି । ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ସେପଟେ ମୁମ୍ବାଇରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୌଡୁୱାଲ୍ ଙ୍କର ୩୫ ବର୍ଷର ଏକମାତ୍ର ପୁଅ ଆଦିତ୍ୟଙ୍କର ମୃତ୍ୟୁ ହୋଇଛି । କିଡନୀ ସମସ୍ୟା ଯୋଗୁଁ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ଭିକୁ ସେଠ୍ ଚରିତ୍ର ପାଇଁ ଓଡ଼ିଶାର ଘରେ ଘରେ ପରିଚତ ଥିଲେ ମହେନ୍ଦ୍ର ଦାସ । ମଞ୍ଚରେ ଜୀବନ୍ତ ଅଭିନୟ କରି ହଜାର ହଜାର ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଥିଲେ ସେ । ଗତକାଲି ରାତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶ୍ରୀ ଦାସ ଆଜି ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଚୌଦ୍ୱାର ହସ୍ପିଟାଲ୍ କୁ ଆଣିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ପଠାଇ ଦେଇଥିଲେ । କଟକକୁ ଆଣିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ସ୍ୱର୍ଗତ ଦାସଙ୍କର ପତ୍ନୀ ଓ ଦୁଇଝିଅ ଅଛନ୍ତି । ବଡ଼ଝିଅ ବିବାହ କରିସାରିଛନ୍ତି । ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ କୁସୁମପଦା ତାଙ୍କର ଜନ୍ମମାଟି ହୋଇଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ହେଲା ସେ ଚୌଦ୍ୱାରରେ ଘର କରି ସପରିବାର ରହି ଆସୁଥିଲେ । ତାଙ୍କ ମୃତ୍ୟୁରେ ଜଲିଉଡ୍ ଓ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି ।
ସେପଟେ ମୁମ୍ବାଇରେ ପରଲୋକ ଗମନ କରିଥିବା ଅନୁରାଧା ପୌଡୁଡୁୱାଲାଙ୍କ ପୁଅ ଆଦିତ୍ୟ(୩୫) ଜଣେ ପ୍ରତିଭାବାନ ମ୍ୟୁଜିକ୍ କମ୍ପୋଜର୍ ଓ ନିର୍ମାତା ଥିଲେ । କିଛି ମାସ ଧରି ତାଙ୍କର କିଡନୀଜନିତ ସମସ୍ୟା ଥିବାରୁ ସେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମା ଅନୁରାଧା ଏବଂ ଭଉଣୀ କବିତାଙ୍କୁ ଛାଡ଼ି ଚିରଦିନ ପାଇଁ ବିଦାୟ ନେଇଛନ୍ତି ଆଦିତ୍ୟ । ଆଦିତ୍ୟଙ୍କ ମୃତ୍ୟୁରେ ବଲିଉଡ୍ ସଙ୍ଗୀତ ଜଗତରେ ଗଭୀର ଶୋକପ୍ରକାଶ ପାଇଛି ।