ଭୁବନେଶ୍ୱର: ପୁଲିସରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ୧୩ ଦିନ ବିତିଲାଣି । ମାତ୍ର ୭ ଅଭିଯୁକ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ପହଞ୍ଚିପାରିନି କମିଶନରେଟ୍ ପୁଲିସ । ସେପଟେ ମାମଲା ଚପାଇ ଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବାର ସଙ୍ଗୀନ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଓଲଟି ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଜବାବ ନୋଟିସ୍ କୁ ଖାତିର କରିନାହାନ୍ତି ଏମଡି । ଇତିମଧ୍ୟରେ ଏଭଳି ସମ୍ବେଦନଶୀଳ ମାମଲାକୁ ସମ୍ପୂର୍ଣ୍ଣ ମିଛ ବୋଲି ରାୟ ଶୁଣାଇବା ସହ ପୀଡ଼ିତାଙ୍କ ମାଆଙ୍କୁ ବ୍ଲାକମେଲର୍ କହିସାରିଲେଣି ଓଟିଭି କର୍ତ୍ତୃପକ୍ଷ । ହେଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ନାଁ ଗନ୍ଧ ନାହିଁ ।
ଖୋଦ୍ ରାଜଧାନୀ ଛାତି ଉପରେ ଘଟିଥିବା ଏହି ଜଘନ୍ୟ କାଣ୍ଡକୁ ଉଭୟ ପୁଲିସ ଓ ଅଭିଯୁକ୍ତ ପକ୍ଷ ଚପାଇଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଲାଣି । ଏଭଳି ଜଘନ୍ୟ ମାମଲାରେ ପୁଲିସ ସିସିଟିଭି ଫୁଟେଜ୍ ଜବତ କରିବା ସହ ଅଭିଯୁକ୍ତଙ୍କ ଧରି ପ୍ୟାରେଡ୍, ଡାକ୍ତରୀ ପରୀକ୍ଷା ଏବଂ ଡିଏନଏ ଟେଷ୍ଟ କରିବାର ନିୟମ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହାତବାନ୍ଧି ବସିଛି ।
ଉଲ୍ଲେଖଥାଉକି, ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ୩୭୬(ଡିଏ), ୩୭୬(୨), ୫୦୬, ୩୪ ଏବଂ ପୋକସୋ ଆକ୍ଟ, ୨୦୧୨ ର ଧାରା ୬ ଦଫା ଲାଗିଛି । ତେବେ ଦଫା, ତଦନ୍ତ ପ୍ରକ୍ରିୟା ଓ ଗତିବିଧିକୁ ଦେଖିଲେ ମାମଲାକୁ ରଫାଦଫା କରି ଦୋଷୀଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଲାଣି । ଦୋଷୀଙ୍କୁ ଖସାଇବାକୁ ଗଳାବାଟ ରଖାଯାଇଥିବା ଅନେକଙ୍କର ସନ୍ଦେହ ହେଲାଣି ।
ସନ୍ଦେହ-୧: ମାମଲା ରୁଜୁ ହେବାର ୧୩ ଦିନ ବିତିଯାଇଛି । ପୀଡ଼ିତାଙ୍କ ୧୬୧ ବୟାନ ରେକର୍ଡ, ଡାକ୍ତରୀ ପରୀକ୍ଷା ଇତ୍ୟାଦି ସରିଲାଣି । କିନ୍ତୁ ଅଭିଯୁକ୍ତମାନେ ଖୁଲମ୍ ଖୋଲା ବୁଲୁଛନ୍ତି । ଏପରିକି ନିର୍ଭୟରେ ଅଫିସ୍ ଆସି ଡ୍ୟୁଟି କରୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଭଳି କଡ଼ା ଆଇନର ଦଫା ଲାଗିଥିବାରୁ ପୁଲିସ ଅବିଳମ୍ବେ ସେମାନଙ୍କୁ ବାନ୍ଧି ଜେଲ୍ ପଠାଇବା କଥା । ମାତ୍ର ଏ କ୍ଷେତ୍ରରେ ପୁଲିସ ନିଷ୍କ୍ରିୟ ନାହିଁ କି? ଇତିମଧ୍ୟରେ ଓଟିଭିର ଦୁଇ ଅଭିଯୁକ୍ତ କର୍ମଚାରୀ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁତରାଂ ସେମାନଙ୍କୁ ଆଇନ ଶିକୁଳିରୁ ଖସେଇ ଦେବା ପାଇଁ ପୁଲିସ ସୁଯୋଗ ଦେଉନି ତ?
ସନ୍ଦେହ-୨: କୌଣସି ମାମଲାକୁ ଚପାଇବା ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଏକ ଗର୍ହିତ ଅପରାଧ । ପୋକସୋ ଆକ୍ଟ,୨୦୧୨ ର ଧାରା ୨୧ରେ ଏଥିପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଉକ୍ତ ନିର୍ଦ୍ଦିଷ୍ଟ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇ ପୀଡ଼ିତାଙ୍କ ମାଆ ନ୍ୟାୟ ଭିକ୍ଷା କରିଥିଲେ । ଘଟଣା ବାହାରେ ପ୍ରକାଶ ନ କରିବାକୁ ଅଭିଯୁକ୍ତମାନଙ୍କ ଧମକ ଯୋଗୁଁ ସେ ପୁଲିସକୁ ନ ଜଣାଇ ସିଧାସଳଖ ଏମଡିଙ୍କୁ ଜଣାଇଥିଲେ ବୋଲି କହିଛନ୍ତି । ମାତ୍ର ଏମଡି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଏମଡିଙ୍କୁ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ସେ ଅବଗତ କରାଉଥିବାର ଅଡିଓ ମହିଳା କମିଶନଙ୍କଠାରୁ ଆରମ୍ଭ କରି ପୁଲିସ ପାଖରେ ରହିଛି । ଶିଶୁ ସୁରକ୍ଷା ଅଧିକାର କମିଶନଙ୍କଠାରେ ପୀଡ଼ିତାଙ୍କ ମାଆ ଏହାର ଲିଖିତ ଅଭିଯୋଗ ବି କରିଛନ୍ତି । ମାତ୍ର ଏହି ଗମ୍ଭୀର ଦିଗକୁ ପୁଲିସ ଏଡାଇଦେବା ଏବଂ ଓଟିଭି ଏମଡିଙ୍କ ବିରୋଧରେ ମାମଲା(ଦଫା ୨୧) ନଯୋଡିବା ପଛର ରହସ୍ୟ କ’ଣ? ସୁରକ୍ଷା ଦେବା ପାଇଁ ନୁହେଁ ତ?
ସନ୍ଦେହ-୩: ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଧମକାଇ ତାଙ୍କର ନଗ୍ନ ଫଟୋ ଉତ୍ତୋଳନ କରାଯାଇଛି । ନିଜର ୧୬୧ ଷ୍ଟେଟମେଣ୍ଟରେ ପୀଡ଼ିତା ଏହି ବୟାନ ଦେଇଛନ୍ତି । ଖାଲି ସେତିକି ନୁହେଁ, ଏହି ଫଟୋକୁ ମାସ୍ ମିଡ଼ିଆରେ ବ୍ୟବହାର କରାଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଜଣେ ନାବାଳିକାଙ୍କ ପ୍ରତି ଏଭଳି ଘୃଣ୍ୟ, ଜଘନ୍ୟ କାର୍ଯ୍ୟ ପାଇଁ ପୋକସୋ ଆକ୍ଟ, ୨୦୧୨ର ଦଫା ୪୦ ଏବଂ ୧୫ ରହିଛି । ମାତ୍ର ପୁଲିସ ତାହା ଲଗାଇନାହିଁ । କାହିଁକି? ଦୋଷୀଙ୍କୁ ଖସାଇବା ପାଇଁ ପୁଲିସ ଉପରେ ଅଦୃଶ୍ୟ ଚାପ ରହିଛି କି?
ସନ୍ଦେହ-୪: ଏଭଳି ଜଘନ୍ୟ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ କ’ଣ ହେବା ଆବଶ୍ୟକ ତାହା ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ମୋଟାମୋଟି ଭାବେ ଅଭିଯୁକ୍ତଙ୍କ ପାଇଁ ଆଇପିସି ଧାରା ୩୬୬, ୩୯୫, ୩୯୬,୩୭୬(ଜି) ଏବଂ ୧୨୦(ବି) ଧାରା ମଧ୍ୟ ପ୍ରଯୁଜ୍ୟ । କିନ୍ତୁ ତାହା ହୋଇନାହିଁ ।
ସନ୍ଦେହ-୫: ଓଟିଭି ସଂସ୍ଥାରେ ଚାକିରି କରିଥିଲେ ପୀଡ଼ିତାଙ୍କ ମାଆ । ତାଙ୍କ ଝିଅକୁ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷା କର୍ମୀ । ଓଟିଭି କର୍ତ୍ତୃପକ୍ଷ ତାଙ୍କ ସଫେଇରେ ବିଶାଖା ଗାଇଡଲାଇନ୍ କଥା କହିଥିଲେ । ସଂସ୍ଥାର ଆଭ୍ୟନ୍ତରୀଣ କମିଟି ଦ୍ୱାରା ତଦନ୍ତ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଂପୃକ୍ତ ମହିଳା ସହଯୋଗ କରି ନ ଥିବା ପ୍ରଥମେ ସଫେଇ ଦିଆଯାଇଥିଲା । ଏଠି ଅଭିଯୋଗକାରିଣୀଙ୍କ ନାବାଳିକା ଝିଅକୁ ଅଫିସ୍ ବାହାରେ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଥିବାରୁ ଆଭ୍ୟନ୍ତରୀଣ ବିଶାଖା କମିଟିର ଭୂମିକା ଉପରେ ପ୍ରଶ୍ନ ଆସିଲାରୁ କଥା ଗୋଳେଇବାକୁ ଚେଷ୍ଟା ହେଉଛି । ଭ୍ରମ ଦୂର କରି ଏହାକୁ ତଦନ୍ତ ପରିସରଭୁକ୍ତ କରିବା ପୁଲିସର କାମ ନୁହେଁ କି?
ମାମଲାଟି ଅତ୍ୟନ୍ତ ଜଘନ୍ୟ ଓ ସମ୍ବେଦନଶୀଳ । ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ । ତାହାପୁଣି ରାଜଧାନୀର ଛାତି ଉପରେ । ଅଭିଯୁକ୍ତକାରୀମାନେ ପୁଣି ପ୍ରମୁଖ ଚାନେଲ୍ ଓଟିଭି କର୍ମଚାରୀ । ମାମଲାକୁ ଚପାଇଦେବାକୁ ସଂସ୍ଥା ଏମଡି ଉଦ୍ୟମ କରିଥିବା ପୀଡ଼ିତାଙ୍କ ମା’ଙ୍କର ଅଭିଯୋଗ । ଏତେବଡ଼ ସଙ୍ଗୀନ ଅଭିଯୋଗ ଉପରେ ପୁଲିସର କାର୍ଯ୍ୟ ସନେ୍ଦହ ଘେରକୁ ଆସିଥିବା ବେଳେ ବିରୋଧୀ ଦଳ ଏବଂ ସାମାଜିକ କର୍ମୀମାନେ ପାଟି ଖୋଲୁନାହାନ୍ତି । ସମ୍ଭବତଃ ଏହାଠାରୁ ଅଧିକ ବିସ୍ମୟକର ଘଟଣା ଆଉ କିଛି ହୋଇ ନ ପାରେ ।
ସେପଟେ ଭୟ, ଆତଙ୍କ ଓ ମାନସିକ ଦୁଶ୍ଚିନ୍ତାରେ ଜୀବନ ବିତାଉଥିବା ପୀଡ଼ିତା ଓ ତାଙ୍କର ବିଧବା ମାଆଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ସେମାନଙ୍କ କ୍ଷେତ୍ରରେ କିଛି ଅଘଟଣ ହେଲେ ସେଥିପାଇଁ କିଏ ଦାୟୀ ହେବେ? ସେଥିପାଇଁ ସରକାର ଦାୟୀ ରହିବେ ତ? ଏ ପ୍ରଶ୍ନ ଆଜି ସାଧାରଣ ଜନତାଙ୍କର ।