ଭୁବନେଶ୍ୱର: ଓଡିଆ ଚଳଚିତ୍ର ଓ କଳା ଜଗତ ପାଇଁ ଚାଲିଛି ଦୁଃଖର ସମୟ । ଆଉ ଜଣେ ରତ୍ନଙ୍କୁ ଆଜି ହରାଇ ଦେଇଛି । ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ଅଜିତ୍ ଦାସ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
କିଛି ଦିନ ତଳେ ତାଙ୍କର ପ୍ରିୟ ବନ୍ଧୁ ବିଜୟ ମହାନ୍ତିଙ୍କ ମୃତ୍ୟୁ ଏବଂ ଗତକାଲି ନିର୍ଦ୍ଦେଶକ ଶିଶିର ମୋହନ ପତି ଓ ଯାତ୍ରା ଖଳନାୟକ ମହେନ୍ଦ୍ର ଦାସ ଓରଫ୍ ଭିକୁ ସେଠ୍ ଙ୍କର ମୃତ୍ୟୁ କଳାକାର ଜଗତକୁ ଶୋକରେ ରଖିଥିଲା ବେଳେ ଆଜି ଅଜିତ୍ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବଧ କରିଦେଇଛି ।
ନ୍ୟାସନାଲ୍ ସ୍କୁଲ୍ ଅଫ ଡ୍ରାମାର ସ୍ନାତକଧାରୀ ଅଜିତ୍ ଦାସ ମଞ୍ଚ ନାଟକରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରେ ଏକ ଖଳନାୟକ ଚରିତ୍ରରେ ତାଙ୍କର ଫିଲ୍ମ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଅଭିମାନ, ପୁର୍ନମିଳନ, ଗୌରୀ, ବଳିଦାନ, ଫୁଲଚନ୍ଦନ, ହାକିମ୍ ବାବୁ, ବାଟ ଅବାଟ, ମା, ତୁଣ୍ଡବାଇଦ, ପରଦେଶୀ ଚଢ଼େଇ ଏହିଭଳି ୧୦୦ରୁ ଅଧିକ ଚଳଚିତ୍ରରେ ଖଳନାୟକ, ନାୟକ ଓ ଚରିତ୍ର ଭୂମିକାରେ ଅଭିନୟ କରି ନିଜର ପରାକାଷ୍ଠା ଦେଖାଇଥିଲେ । ଜଣେ ଉଚ୍ଚକୋଟୀର ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର ଖ୍ୟାତି ଥିଲା ।
ମଞ୍ଚ ଓ ନାଟକ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ଥିଲା । ମଞ୍ଚ ଓ ନାଟକରେ ତାଙ୍କର ଅଭିନୟ ଓ ନିର୍ଦ୍ଦେଶନା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୭୦ ରୁ ଅଧିକ ମଞ୍ଚ ଓ ନାଟକରେ ସେ ଅଭିନୟ ଓ ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତି ଓ ଅଜିତ୍ ଦାସ ଯୋଡି ଓଡ଼ିଶା ଚଳଚିତ୍ର, ମଞ୍ଚ ଓ ନାଟକ ଜଗତର ଏକ ମାଇଲଖୁଣ୍ଟ ଥିଲେ । ଉଭୟଙ୍କ ବ୍ୟକ୍ତିତ୍ୱ ଓ ନିଶା ପ୍ରାୟ ସମାନ ଥିଲା । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧାପନା କରୁଥିଲା ବେଳେ ବହୁ କଳାକାରଙ୍କୁ ତିଆରି କରିଥିଲେ ।
ବିଜୟ ମହାନ୍ତିଙ୍କ ମୃତ୍ୟୁର ଦିନ କେଇଟା ପରେ ଅଜିତ୍ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ଦାରୁଣ ଦୁଃଖ ଦେଇଛି । ଓଡ଼ିଶା କଳାଜଗତ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଖାଲି ଉଚ୍ଚକୋଟିର ଅଭିନୟ ନୁହେଁ, ଜଣେ ଭଲ ମଣିଷ ଥିଲେ ଅଜିତ୍ ଦାସ । ଅଭିନୟ ଓ ବ୍ୟକ୍ତିତ୍ୱ ରେ ବିଜୟ ମହାନ୍ତି ଓ ଅଜିତ୍ ଦାସ କେହି କାହାରିଠାରୁ କମ ନ ଥିଲେ । ଉଚ୍ଚକୋଟୀର ଅଭିନୟ ସାଙ୍ଗକୁ ଅତ୍ୟନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କର ସମ୍ମାନ ଓ ଶ୍ରଦ୍ଧାର ପାତ୍ର ଥିଲେ ।
ଅଜିତ୍ ଦାସଙ୍କ ମୃତ୍ୟୁରେ ସବୁ ମହଲରେ ଗଭୀର ଶୋକପ୍ରକାଶ ପାଇଛି ।