ଭୁବନେଶ୍ୱର: ଆଜି ସକାଳେ ନବୀନ ନିବାସରେ ପହଞ୍ଚିଥିଲେ ନବୀନ ପଟ୍ଟନାୟକଙ୍କର ପୁରୁଣା ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ । ଦୀର୍ଘ ଦିନ ପରେ ଦୁଇବନ୍ଧୁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏକଦା ବିଜେଡି ରାଜନୀତିରେ ଅଖଣ୍ଡ ପ୍ରଭାବଶାଳୀ ନେତା ଥିଲେ ଅନଙ୍ଗ । ମାତ୍ର କିଛି ବର୍ଷ ହେଲା ଅନଙ୍ଗଙ୍କୁ ସକ୍ରିୟ ରାଜନୀତିରେ ଆଉ ଦେଖିବାକୁ ମିଳୁନାହିଁ । ନବୀନଙ୍କ ପାଇଁ ସେ ଅଲୋଡ଼ା ହୋଇ ରହିଥିଲେ । ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ମଧ୍ୟ ଦଳକୁ ସଜାଡ଼ିବା ପାଇଁ ସେ ଅନଙ୍ଗଙ୍କ ପରାମର୍ଶ ଲୋଡ଼ି ନ ଥିଲେ । ମାତ୍ର ଏବେ ବିଜୟ ମହାପାତ୍ରଙ୍କ ପୁଅ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ଏବଂ ଆଗକୁ ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଦୁଇବନ୍ଧୁଙ୍କ ଭେଟଘାଟ ଚର୍ଚ୍ଚାର ବିଷୟ ହୋଇଛି । ଦୁଇବନ୍ଧୁଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି ।
ସେହି ସମୟରେ ନବୀନ ନିବାସରେ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ(ବବି) ଦାସ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ନବୀନଙ୍କ ଡାକରାରେ ସେମାନେ ଯାଇଥିଲେ ଏବଂ ଏକ ବଡ଼ ବୈଠକରେ ଯୋଗଦେଇଥିଲେ ବୋଲି କୁହାଯାଉଛି । ତେବେ ବୈଠକରେ ସଂକ୍ରାନ୍ତରେ କୌଣସି ନେତା ପ୍ରତିକ୍ରିୟା ଦେଇନାହାନ୍ତି ।