ଭୁୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଂଶୁମାନ ମହାନ୍ତିଙ୍କୁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଏଥିରେ ଅଂଶୁମାନ ଖୁସି ନାହାନ୍ତି । ଲୋକସଭା ବଦଳରେ ରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ । ତେଣୁ ଖୋଲାଖୋଲି ଭାବେ ନିଜର ଶୁଭେଚ୍ଛୁ ଓ ସମର୍ଥକଙ୍କ ଆଗରେ ଅସନ୍ତୋଷ ଜାହିର କରିଛନ୍ତି । ହାଇକମାଣ୍ଡଙ୍କୁ ନିଜ ଇଚ୍ଛା ଜଣାଇବେ ଏବଂ ସେଥିରେ ବିଫଳ ହେଲେ ବିକଳ୍ପ ଚିନ୍ତା କରିବା ଅସମ୍ଭବ ନୁହେଁ ବୋଲି ତାଙ୍କର ଘନିଷ୍ଠ ମହଲରୁ ଖବର ମିଳିଛି ।
ଅଂଶୁମାନ ହେଉଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ରେ ସେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ମାତ୍ର ୨୦୧୯ରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କଠାରୁ ହାରି ଯାଇଥିଲେ । ୨୦୨୦ରୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଥିଲେ । ମାତ୍ର ଗତ ଫେବ୍ରୁଆରୀ ୧୪ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇ ୧୬ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ।
ବିଜେଡିରେ ଯୋଗଦେଲା ବେଳେ କୁଆଡ଼େ ରାଜନଗରରୁ ନିର୍ବାଚନ ଲଢ଼ିବା ତାଙ୍କର ପ୍ରାଥମିକତା ଥିଲା ଏବଂ ହାଇକମାଣ୍ଡଙ୍କୁ ଏହା ଜଣାଇ ବି ଦେଇଥିଲେ । ପରିସ୍ଥିତି ପଡ଼ିଲେ ଲୋକସଭା ନିର୍ବାଚନ ପ୍ରାର୍ଥୀ ହେବାକୁ ରାଜି ହୋଇଥିଲେ ମଧ୍ୟ ସେଥିପାଇଁ କିଛି ସର୍ତ୍ତ ଥିଲା ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳିଛି । ତେବେ ସେହି ସର୍ତ୍ତ ପୂରଣ ନ ହୋଇ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଥିବାରୁ ସେ ଖପ୍ପା ହୋଇଥିବା ଏହି ସୂତ୍ରରୁ ଖବର ମିଳିଛି ।
ଇତିମଧ୍ୟରେ, ଆଜି ପଟ୍ଟମୁଣ୍ଡାଇଠାରେ ବିଜେଡି ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଗୋଟିଏ ମଞ୍ଚରେ ବିଧାୟକ ଧ୍ରୁବ ସାହୁ ଏବଂ ପୂର୍ବତନ ବିଧାୟକ ତଥା ଏବେକାର ଆଶାୟୀ ବିଧାୟକ ଅଂଶୁମାନ ଉପସ୍ଥିତ ରହି ଜନସମାବେଶକୁ ଉଦବୋଧନ ଦେଇଥାନ୍ତେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସରିଥିବା ବେଳେ ଠିକ୍ ଆରମ୍ଭ ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଥିଲେ ।
ଏଥିରେ ଅଂଶୁମାନଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ତେବେ ଏହା ପ୍ରଚାରିତ ହେଲା କ୍ଷଣି ଅଂଶୁମାନ ଓ ତାଙ୍କ ସମର୍ଥକମାନେ ଶୋଭାଯାତ୍ରା ଅଧାରୁ ବନ୍ଦ କରି ଫେରିଯାଇଥିଲେ । ସେପଟେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ନିଜେ ବିଧାୟକ ଧ୍ରୁବ ସାହୁ ଓ ସମର୍ଥକମାନେ ସଭାସ୍ଥଳକୁ ଆସି ନ ଥିଲେ । ଫଳରେ ସଭା ହୋଇପାରି ନ ଥିଲା । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ସରଗରମ ରହିଛି ।