ଭୁବନେଶ୍ୱର: ଅନୁଭବ-ବର୍ଷା ଦାମ୍ପତ୍ୟ ବିବାଦର ଦ୍ୱିତୀୟ ଭାଗ ସାମନାକୁ ଆସିଛି । ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ ଏବଂ ପତ୍ନୀ ଅତ୍ୟାଚାରୀ ବୋଲି ବର୍ଷା କୋର୍ଟରେ ପିଟିସନ୍ କରି ଭରଣପୋଷଣ ମାଗିଥିବା ବେଳେ ଅନୁଭବ ତାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ କରିଛନ୍ତି । ପ୍ରାୟ ଦେଢ଼ମାସ ତଳର ଏହି ଦାମ୍ପତ୍ୟ ବିବାଦର ଚିତ୍ର ଏବେ ମିଡ଼ିଆକୁ ଆସିଛି । ଗତକାଲି ବର୍ଷାଙ୍କ ପିଟିସନ୍ ଲୋକଲୋଚନକୁ ଆସିଥିବା ବେଳେ ଏହାର ପାଖାପାଖି ମାସକ ପୂର୍ବରୁ ଅନୁଭବ ଦେଇଥିବା ପିଟିସନ୍ ସାମନାକୁ ଆସିଛି । ଗତ ଜୁଲାଇ ୧୬ ରେ ଅନୁଭବ ଏହି ପିଟିସନ୍ ଦାଖଲ କରିଛନ୍ତି ।
କୋର୍ଟରେ ଅନୁଭବ ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନ୍ ଦେଇଛନ୍ତି । ସେଥିରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବର୍ଷା ତାଙ୍କୁ ସ୍ୱାମୀର ମର୍ଯ୍ୟାଦା ଦେଉ ନ ଥିଲେ । ଏପରିକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁ ନ ଥିଲେ । ଶାଶୁଘରେ ନ ରହି ବାପଘରେ ରହିବାକୁ ପସନ୍ଦ କରୁଥିଲେ ବୋଲି ଅନୁଭବ ଦର୍ଶାଇଛନ୍ତି ।
ଆଡଭୋକେଟ୍ ଅଶ୍ୱିନୀ ଦୁବେଙ୍କ ଜରିଆରେ ଅନୁଭବ ଦାଖଲ କରିଥିବା ପିଟିସନ୍ ର ମୁଖ୍ୟକଥା ଏୟା..
“୨୦୧୪ ଫେବୃଆରୀ ୮ ତାରିଖରେ ଆମର ବାହାଘର ହୋଇଥିଲା । ବାହାଘର ପରେ ପ୍ରଥମ ରାତିରେ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ୩/୪ ମାସ ସମୟ ମାଗିଥିଲେ । ସେଥିପାଇଁ ମୁଁ ଅସହଜ ଓ ଅସୁଖୀ ମନେ କରିଥିଲେ ମଧ୍ୟ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇଥିଲି । ରାଜ୍ୟସଭା ସାଂସଦ ହୋଇ ଦିଲ୍ଲୀ ଯିବା ପରେ ବର୍ଷାଙ୍କ ଆଚରଣରେ ସୁଧାର ଆସିବ ବୋଲି ମନେ କରି ତାଙ୍କୁ ସାଙ୍ଗରେ ନେଇଯାଇଥିଲି । ୨୦୧୫ ରେ ଦିଲ୍ଲୀ ଗୃହ ପ୍ରବେଶ ପୂଜାରେ ବର୍ଷା କିନ୍ତୁ ସାମିଲ ହୋଇ ନ ଥିଲେ । ପୂଜାରେ ସାମିଲ ହେବାକୁ ଅନୁରୋଧ କରିବା ସତ୍ତ୍ୱେ ସେ ମନା କରିଥିଲେ । ତଥାପି ତାକୁ ସହିଯାଇଥିଲି । ୨୦୧୫ରେ ବର୍ଷାଙ୍କୁ ନେଇ ଆମେରିକା ଯାଇଥିଲି ।
ଦିଲ୍ଲୀ ରହଣୀ ବେଳେ ବର୍ଷାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ମଧ୍ୟ ନିରାଶ ହୋଇଥିଲି । ୧୮ ମାସ ଏକାଠି ରହିବା ପରେ ଉଭୟ କଟକ ଫେରିଥିଲୁ । ସେତେବେଳେ ବର୍ଷା ଖୁସି ଥିଲେ ଏବଂ ଶାରୀରିକ ସମ୍ପର୍କ ରହିବ ବୋଲି କଥା ଦେଇଥିଲେ । କିନ୍ତୁ ବର୍ଷା ପୁଣି ୭/୮ ମାସ ସମୟ ମାଗିଥିଲେ ।
ବର୍ଷା କେବେ ବି ମତେ ବୈବାହିକ ଖୁସି ଦେଇ ନ ଥିଲେ । ମୋ ଉପରେ ସବୁବେଳେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ । ଶାଶୁଘର ଖାଦ୍ୟ ପସନ୍ଦ କରୁ ନ ଥିଲେ । ଶାଶୁଘର ଲୋକଙ୍କ ସହ ନ ମିଶି ବାପଘର ଯିବାକୁ ବାହାନା କରୁଥିଲେ । ବାପଘର ଲୋକଙ୍କ ଆଗରେ ବର୍ଷା ମୋତେ ଅପମାନିତ କରୁଥିଲେ । ମୋର ସହଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବାର ମିଥ୍ୟା ଅଭିଯୋଗ କରୁଥିଲେ ।
ଖାଲି ସେତିକି ନୁହେଁ, ମିଥ୍ୟା କେସ୍ ରେ ମୋତେ ଓ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ । ଏହିଭଳି ଭାବେ ବର୍ଷା ମୋତେ ଅତ୍ୟଧିକ ମାନସିକ ଚାପରେ ରଖୁଥିଲେ । କେବେ ବି ପତ୍ନୀଙ୍କ ଭଳି ଆଚରଣ କରୁ ନ ଥିଲେ ।
ତାଙ୍କର ଏଭଳି ଆଚରଣକୁ ମୁଁ ମୁଣ୍ଡପାତି ସହିଯିବାକୁ ଚେଷ୍ଟା କରିଥିଲି । ତାଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଆୟୋଜନ କରୁଥିଲି । ତାଙ୍କର ଜନ୍ମଦିନ କୁ ଧୂମଧାମ୍ ରେ ପାଳନ କରିବା ପାଇଁ ଆୟୋଜନ କରିଥିଲି । ଏହାସତ୍ତ୍ୱେ ତାଙ୍କ କଠିନ ହୃଦୟ ତରଳି ନ ଥିଲା । ଏମିତିକି ମୋ ଜନ୍ମିଦନରେ ମୋତେ ଶୁଭେଚ୍ଛା ଜଣାଇ ନ ଥିଲେ । ମୁଁ ବାଧ୍ୟ ହୋଇ ବର୍ଷାଙ୍କୁ ତାଙ୍କ ଇଚ୍ଛାରେ ବଞ୍ଚିବାକୁ ଛାଡ଼ି ଦେଇଥିଲି ।
ଅତ୍ୟାଚାର ଓ ମାନସିକ ନିର୍ଯାତନା ଦେବା ବର୍ଷାଙ୍କ ମୂଳ ଉଦ୍ଦେଶ୍ୟ ଥିଲା । ଭଲ ପତ୍ନୀ ଓ ଭଲ ବୋହୁ ହେବାରେ ବର୍ଷା ବିଫଳ ହୋଇଛନ୍ତି । ୨୦୧୯ ମେ ୧ ରୁ ଆମେ ଦୁହେଁ ଅଲଗା ରହି ଆସୁଛୁ । ପତ୍ନୀଙ୍କ ଆଚରଣ ମୋତେ ମର୍ମାହତ କରିଛି । ଆମର ସମ୍ପର୍କ ଭାଙ୍ଗିସାରିଛି । ତାଙ୍କର ନିର୍ଯାତନା ଅସହ୍ୟ ହୋଇଥିବାରୁ ମୁଁ ବର୍ଷାଙ୍କ ସହ ରହିବା ସମ୍ଭବ ନୁହେଁ ।”
ସୂଚନାଥାଉକି, ଗତ ଅଗଷ୍ଟ ୭ ରେ ଅନୁଭବଙ୍କ ବିରୋଧରେ କଟକ ଏସଡିଜେଏମ୍ ଙ୍କ କୋର୍ଟରେ ବର୍ଷା ଏକ ପିଟିସନ୍ କରିଛନ୍ତି । ଅନୁଭବ ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅନୁଭବଙ୍କଠାରୁ ୧୫ କୋଟି କ୍ଷତିପୂରଣ ଦାବି କରିଛନ୍ତି ବର୍ଷା । ଆସନ୍ତାକାଲି(ସେପ୍ଟେମ୍ବର ୭)ରେ ଏହାର ଶୁଣାଣି ହେବ ।