ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କର ପରଲୋକ ହୋଇଯାଇଛି । ଦୀର୍ଘବର୍ଷ ଧରି ସେ ଅସୁସ୍ଥ ଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।
ରାଜନୀତିରେ ନିଷ୍ଠା ଓ ଧୈର୍ଯ୍ୟର ଜ୍ୱଳନ୍ତ ପ୍ରତୀକ ଥିଲେ ନରେନ୍ଦ୍ର ସ୍ୱାଇଁ । ଛାତ୍ରାବସ୍ଥାରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୀର୍ଘ ବର୍ଷ ଧରି ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ଭୂମିକାରେ ଥିଲେ । ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ୱ ନେଉଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡ଼ିରେ ଯୋଗଦେଇଥିଲେ । ଦଳର ସାଂଗଠନିକ ବ୍ୟାପାରରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଦୀର୍ଘବର୍ଷ ଧରି ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ରାଜ୍ୟ କାର୍ଯ୍ୟାଳୟ ଦାୟିତ୍ୱ ବୁଝୁଥିଲେ । ଏକଦା ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ବୋଲେ ନରେନ୍ଦ୍ର ସ୍ୱାଇଁଙ୍କୁ ହିଁ ବୁଝାଯାଉଥିଲା ।
ଓଡ଼ିଶାର ରାଜନୈତିକ ଭୂଗୋଳ ଉପରେ ତାଙ୍କର ପ୍ରଚଣ୍ଡ ଦଖଲ ଥିଲା । ଦଳର ସୁପ୍ରିମୋଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲେ ମଧ୍ୟ କେବେ ଏମଏଲଏ କିମ୍ବା ଏମପି ଟିକେଟ୍ ଖଣ୍ଡେ ପାଇଁ ବ୍ୟାକୁଳ ନ ଥିଲେ । ତେବେ ତାଙ୍କର ନିଷ୍ଠାପର କାର୍ଯ୍ୟର ପୁରସ୍କାର ପାଇଥିଲେ । ଓଡ଼ିଶା ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା ।
୨୦୧୫ ରେ ବିଜେଡ଼ି ରାଜ୍ୟସଭା ଟିକେଟ୍ ପାଇ ସେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ୨୦୧୫ ଡିସେମ୍ବର ୭ରୁ ୨୦୨୦ ଏପ୍ରିଲ୍ ୨ ପର୍ଯ୍ୟନ୍ତ ରାଜ୍ୟସଭା ଏମପି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ଅମାୟିକ ବ୍ୟକ୍ତି ପାଇଁ ସେ ସମସ୍ତଙ୍କର ଆଦର ଥିଲେ ।
ନରେନ୍ଦ୍ର ସ୍ୱାଇଁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ଉତ୍ସର୍ଗୀକୃତ ସଂଗଠକ ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ଶ୍ରମଜୀବୀମାନଙ୍କ ପାଇଁ ତାଙ୍କର ସେବା ତାଙ୍କୁ ସବୁବେଳେ ସ୍ମରଣୀୟ ରଖିବ ବୋଲି କହିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ନେତୃବର୍ଗ, ମନ୍ତ୍ରୀ ଓ ବିଧାୟକମାନେ ଶ୍ରୀ ସ୍ୱାଇଁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।
ସ୍ୱର୍ଗତ ସ୍ୱାଇଁଙ୍କ ସମ୍ମାନାର୍ଥେ ଆଜି ସଂଧ୍ୟା ୫ ଟାରେ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଶୋକସଭାର ଆୟୋଜନ କରାଯାଇଥିବା ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଜଣାଇଛନ୍ତି ।