ଭୁବନେଶ୍ୱର: ବିଏମସି ନିର୍ବାଚନରେ ବିଜେପିର ଏକାଙ୍ଗ ଚକ୍ରବର୍ତ୍ତୀ ଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର, ଖର୍ଚ୍ଚବାଚ ସବୁଥିରେ ତାଙ୍କର ଥିଲା ମାମଲତି । ହେଲେ ଘମାଘୋଟ ଯୁଦ୍ଧ ବେଳକୁ ମ୍ୟାଡାମ୍ ମୈଦାନରୁ ଉଭାନ ହୋଇଗଲେ । ଦିଲ୍ଲୀ ଛୁଙ୍କ ଦେଖାଇ ଭୋଟ ଦିନ ଭୋଟ ଦେବାକୁ ବି ଆସିଲେନି । ଶେଷରେ ଦଳକୁ ଯାହା ଫଳ ମିଳିବା କଥା ମିଳିଲା । ନିଜ ୱାର୍ଡରେ ବି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ପାରିଲେନି । ଏବେ ନିଜ ମୁଣ୍ଡରୁ ଦୋଷ ଖସାଇ ରାଜ୍ୟ ନେତୃତ୍ୱ ଉପରକୁ ଠେଲି ଦେଇଛନ୍ତି । ଯଦି ନେତୃତ୍ୱ ଦୁର୍ବଳ ହୋଇ ନ ଥାନ୍ତା ଆଜି ଏହି ଅବସ୍ଥା ଉପୁଜି ନ ଥାନ୍ତା ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି ଶୋଚନୀୟ ପରାଜୟ ବରଣ କରିଥିଲା । ଏଠାରୁ ପ୍ରତିନିଧିତ୍ୱ କରୁଥିବା ଅପରାଜିତା ଷଡ଼ଙ୍ଗୀଙ୍କ କାଟତି ଗାଁ ଭୋଟରଙ୍କ ନିକିତିରେ ତଉଲି ହୋଇଥିଲା । ଏବେ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ନିଜ କ୍ଷେତ୍ର ରାଜଧାନୀରେ ମ୍ୟାଡାମ୍ ଙ୍କ ପତିଆରା ମାଡ଼ ଖାଇଛି । ବିଜେପି ମେୟର ପ୍ରାର୍ଥୀ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲା ବେଳେ ୬୭ ୱାର୍ଡରୁ ୧୦ ୱାର୍ଡ ଦଳ ଖାତାକୁ ଆସିଛି । ଏହି ୧୦ଟି ୱାର୍ଡରୁ ୫ ଟି ୱାର୍ଡରେ ବିଜେଡ଼ି ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗ ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇଛି ।
ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେପିକୁ ଜିତେଇବା ଅପରାଜିତାଙ୍କ ପାଇଁ ଇଜ୍ଜତର ପ୍ରଶ୍ନ ଥିଲା । ସାଂସଦ ହୋଇ ଆସିବା ଦିନରୁ ବିଏମସିକୁ କବଜାରେ ରଖିବା ପାଇଁ ତାଙ୍କର ଯୋଜନା, ଗୋଟି ଚାଳନା ଆରମ୍ଭ ହୋଇଥିଲା । ସେହିକ୍ରମରେ ଏଥର ନିର୍ବାଚନ ପରିଚାଳନା ଓ ପ୍ରଚାରର ପ୍ରତ୍ୟକ୍ଷ ଦାୟିତ୍ୱ ନେଇଥିଲେ ମ୍ୟାଡାମ୍ । ସବୁ ୱାର୍ଡରେ ଦଳୀୟ କର୍ପୋରେଟର ଏବଂ ମେୟର ପ୍ରାର୍ଥୀ ଚୟନରେ ସେ ଥିଲେ ମୁଖ୍ୟ ପୁରୋଧା । ନିର୍ବାଚନ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ସହ ନିଜେ ପ୍ରଚାର ମଙ୍ଗ ଧରିଥିଲେ ।
ମାତ୍ର ପ୍ରଥମରୁ ହିଁ ତାଙ୍କର ସବୁ କାର୍ଯ୍ୟରେ ଗଡ଼ବଡ଼ ଦେଖିବାକୁ ମିଳିଲା । ମେୟର ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଅନୁପସ୍ଥିତ ରହିଲେ । ପ୍ରଚାର ଦୁଇଦିନ ବାକିଥିବା ବେଳେ ପ୍ରାର୍ଥୀଙ୍କ ହାତ ଛାଡ଼ି ପାର୍ଲିଆମେଣ୍ଟ ଅଧିବେସନ ନାଁରେ ଦିଲ୍ଲୀ ଛୁ ମାରିଲେ । ଗଣମାଧ୍ୟରେ ତାଙ୍କୁ ସମାଲୋଚନା ହେଉଥିବା ଜାଣିବା ପରେ ଦିଲ୍ଲୀରୁ ଅତର୍ଚ୍ଛିଆରେ ଆସି ଶେଷ ଦିନ ଭୁବନେଶ୍ୱରର କିଛି ୱାର୍ଡରେ ପ୍ରଚାର କରିଥିଲେ । ଦଳର ଅନ୍ୟ ବରିଷ୍ଠ ନେତା ପ୍ରଚାର କରିବାକୁ ଆସିଲେନି କି ସାଂସଦ ସେମାନଙ୍କ ସହଯୋଗ ଲୋଡ଼ିଲେନି ।
ବଡ଼କଥା ଥିଲା କି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଭୋଟ ନିବେଦନ କରୁଥିବା ଅପରାଜିତା ନିଜେ କିନ୍ତୁ ଭୋଟ ଦେବାକୁ ଏଠି ରହିଲେ ନାହିଁ । ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ଲାଗି ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିବାରୁ ସେ ଦିଲ୍ଲୀରେ ରହିବାକୁ ବାଧ୍ୟ ହେଲେ ବୋଲି ସଫେଇ ଦେଇଥିଲେ । ସାଂସଦଙ୍କର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ନାପସନ୍ଦ ହୋଇଥିଲା । ଦଳ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା । ସାଂସଦ ଚାହିଁଥିଲେ ଦଳୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରି ଭୋଟ୍ ପାଇଁ ଆସିପାରିଥାନ୍ତେ ବୋଲି କହି କିଛି ନେତା ବିଷୋଦଗାର କରିଥିଲେ ।
ତେବେ ସେ ଯାହା ହେଉ, ଦଳୀୟ ସଂଗଠନ ଏବଂ ନେତାଙ୍କଠାରୁ ଦୂରେଇ ନିଜସ୍ୱ ସଂଗଠନରେ ବିଶ୍ୱାସ ରଖୁଥିବା ସାଂସଦଙ୍କୁ ଏହି ଫଳାଫଳ ଝଟକା ଆଣିଛି । ଭୁବନେଶ୍ୱର ମହାନଗର ନିଗମ କମିସନର ଭାବେ ଅତୀତର ଲୋକପ୍ରିୟତାକୁ ଧରି ତାଙ୍କର ରହିଥିବା ଆତ୍ମବଡିମା ଭାଙ୍ଗିଗଲା ବୋଲି ତାଙ୍କ ବିରୋଧୀ ମହଲ କଟାକ୍ଷ କରିଛନ୍ତି । ଦଳରେ ପତିଆରା ରକ୍ଷା ପାଇଁ ଏହି ନିର୍ବାଚନ ତାଙ୍କ ପାଇଁ ବଡ଼ ଅସ୍ତ୍ର ଥିଲା । ସେ ନିଜକୁ ଯାହା ଭାବୁଛନ୍ତି ଲୋକଙ୍କ ପାଖରେ ସେଭଳି ଗ୍ରହଣୀୟ ନୁହଁନ୍ତି ବୋଲି ଏହି ନିର୍ବାଚନ ଫଳାଫଳ ପୁଣି ଥରେ ପ୍ରମାଣିତ କରିଛି ।
ସୂଚନାଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଘମାଘୋଟ ପ୍ରଚାର ସତ୍ତ୍ୱେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ୨୬ ଟି ଜିଲ୍ଲା ପରିଷଦ ଜୋନ୍ ରୁ ଗୋଟିଏ ବି ଆସନ ବିଜେପି ଜିତିପାରିଲା ନାହିଁ । ଜଟଣୀ ଅନ୍ତର୍ଗତ ଛଣଘର ଗ୍ରାମପଞ୍ଚାୟତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ସାଂସଦ ଖୁବ୍ ପରିଶ୍ରମ କରିଥିଲେ । ମାତ୍ର ସେହି ପ୍ରାର୍ଥୀଙ୍କୁ ମିଳିଥିଲା ମାତ୍ର ୧୪ ଖଣ୍ଡ ଭୋଟ ।
ଖୋର୍ଦ୍ଧା ଜିଲ୍ଲାରେ ୩୦ଟି ଜିଲ୍ଲା ପରିଷଦ ଜୋନ୍ ରୁ ଗତଥର ବିଜେପି ୧୦ଟି ଜୋନ୍ ଦଖଲ କରିଥିଲା । ମାତ୍ର ଏଥର ବିଜେପି ଖାତାକୁ ଆସିଛି ମାତ୍ର ଦୁଇଟି ଜୋନ୍ । ତାହାପୁଣି ପୁରୀ ସଂସଦୀୟ କ୍ଷେତ୍ର ବାଣପୁରରୁ ।