ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ଶର୍ମିଷ୍ଠା ରାଉତଙ୍କ ଦୟାଲ୍ ବୃଦ୍ଧାଶ୍ରମ ଆସି ସେଠାରେ ତନାଘନା କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ସେମାନେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ତାହାକୁ ସିଲ୍ କରିଦେଇଛନ୍ତି । ସେଠାରୁ କେତୋଟି କାଠଫାଳିଆକୁ ଜବତ କରିଛନ୍ତି । ମାନସ ହତ୍ୟାକାଣ୍ଡରେ ଏହା ବ୍ୟବହୃତ ହୋଇଛି ନା ନାହିଁ ଜାଣିବା ପାଇଁ ଫରେନସିକ୍ ଲାବୋରେଟୋରିରେ ତାହା ପରୀକ୍ଷା କରାଯିବ ।
ଆଜି ଦିନ ପ୍ରାୟ ୧୧ଟା ବେଳକୁ କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରପଦା-ଜଟଣୀ ରାସ୍ତାରେ ଥିବା ଶର୍ମିଷ୍ଠା ରାଉତଙ୍କ ପୂର୍ବ ପରିଚାଳିତ ଦୟାଲ୍ ବୃଦ୍ଧାଶ୍ରମକୁ ଆସିଥିଲେ । ସାଙ୍ଗରେ ଫରେନସିକ୍ ଏବଂ ଏକ ଡାକ୍ତରୀ ଟିମ୍ ମଧ୍ୟ ଥିଲେ । ଏହି ଘରର ଉପରମହଲାରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଗତ ଫେବ୍ରୁଆରୀ ୭ ତାରିଖରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସେହି ଘରକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଥ୍ରୀ ଡି କ୍ୟାମେରାରେ ଫିଙ୍ଗର୍ ପ୍ରିଣ୍ଟ ଏବଂ କିଛି ଫୁଟେଜ୍ ସଂଗ୍ରହ କରିଥିଲେ । ପଛପଟେ ଥିବା କେତୋଟି କାଠଫାଳିଆକୁ ମଧ୍ୟ ଜବତ କରିଥିଲେ । ସନ୍ଦେହ କରାଯାଉଛି ଯେ ମାନସକୁ ମାରିବାରେ ଏହି କାଠଫାଳିଆ ବ୍ୟବହାର କରାଯାଇଛି । ତେବେ ଫରେନସିକ୍ ଲାବ୍ ରେ ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ ।
ବୃଦ୍ଧାଶ୍ରମର କେୟାରଟେକର୍ ଏବଂ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି । ସଂପୃକ୍ତ କେୟାରଟେକର୍ ମାନସ ହତ୍ୟାକାଣ୍ଡ ଘଟଣା ଦିନ ତଳ ମହଲାରେ ଥିଲେ । ମାନସ ଲେଖିଥିବା ଏକ ତିନିପୃଷ୍ଠାର ଚିଠି ସେ ଘର ସଫା କଲାବେଳେ ପାଇଥିଲେ ଏବଂ ତାହା ଶର୍ମିଷ୍ଠାଙ୍କୁ ଦେଇଥିଲେ ବୋଲି ସେ ବୟାନ ରଖିସାରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ଏ ସମ୍ପର୍କରେ ଅଧିକ ପଚରାଉଚୁରା କଲା ପରେ ତାଙ୍କଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିବା ଜଣାପଡ଼ିଛି ।
ବୃଦ୍ଧାଶ୍ରମରେ ତଦନ୍ତ ସାରି କ୍ରାଇମବ୍ରାଞ୍ଚ ଟିମ୍ ଏୟାରଫିଲଡ ଥାନାକୁ ଯାଇଥିଲେ । ସେଠାରେ ଜବତ ହୋଇ ରହିଥିବା ଶର୍ମିଷ୍ଠାଙ୍କ କାର୍ ର ଫରେନସିକ୍ ଓ କେମିକାଲ୍ ପରୀକ୍ଷା କରାଯାଇଛି । ଏହି କାର୍ ଟି ଚାନ୍ଦବାଲିରୁ ମାନସଙ୍କ ଅପହରଣଠାରୁ ଆରମ୍ଭ କରି ହତ୍ୟା ଏବଂ ଶବକୁ ବୋହି ପୋତିବା ପର୍ଯ୍ୟନ୍ତ ବ୍ୟବହାର କରାଯାଇଛି । ଗତ ୨୩ ତାରିଖରେ ଶର୍ମିଷ୍ଠାଙ୍କ ସୁନ୍ଦରପଦାସ୍ଥିତ ସ୍କାଏ ଟାୱାର୍ ଆପାର୍ଟମେଣ୍ଟ ବେସମେଣ୍ଟରୁ ଚାନ୍ଦବାଲି ପୁଲିସ ଏହାକୁ ଜବତ କରିଥିଲା ।
ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଗାଁ ଏବଂ ତାଙ୍କ ଶବ ପୋତାଯାଇଥିବା ଜାଗାକୁ ଯିବେ ବୋଲି ଜଣାପଡ଼ିଛି ।
ସେପଟେ କ୍ରାଇମବ୍ରାଞ୍ଚର ଅନ୍ୟ ଟିମ୍ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ ଯାଇଥିଲେ ମଧ୍ୟ ସେମାନେ ସଫଳ ହୋଇନାହାନ୍ତି । ଶର୍ମିଷ୍ଠା ସେମାନଙ୍କ ନିଦ ହଜାଇ ଦେଇଛି ।