ଭୁବନେଶ୍ୱର: ନିଜର ଅଂହକାରୀ ସ୍ୱଭାବ ପାଇଁ ବେଶ୍ ପରିଚିତ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭାଷାରେ ସଂଜମତା ହରାଇଛନ୍ତି । ଏହି ପୂର୍ବତନ ପ୍ରଶାସିକା ତଥା ନିଜକୁ ‘ଓଡ଼ିଆ ସଂସ୍କାରୀ’ ବୋହୂ ଦାବି କରୁଥିବା ମ୍ୟାଡାମ୍ ଆଜି ବିଜେପିର କେନ୍ଦ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପାଖରେ ପାଇ ନିଜର ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି । ତାଙ୍କ ବିରୋଧୀ ପକ୍ଷ ତଥା ବିଜେଡିର ଦୁଇ ନମ୍ବର ଷ୍ଟାର୍ ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତି କଦର୍ଯ୍ୟ ତଥା ଅଶାଳୀନ ଶବ୍ଦ ବ୍ୟବହାର କରିଛନ୍ତି । ସୋସିଆଲ୍ ମିଡିଆରେ ୱାର୍ଡପିଛା ୨ ଟଙ୍କା ନେଇ ଟ୍ରୋଲ୍ କରୁଥିବା ବାହିନୀଙ୍କ ଶବ୍ଦକୁ ଉଧାରରେ ଆଣି ସର୍ବସମ୍ମୁଖରେ ମନ୍ତବ୍ୟ ଦେଇଛନ୍ତି ।
ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ପୁରୁଣା ଭୁବନେଶ୍ୱରର ରଥ ରୋଡ୍ ରେ ଏକ ରୋଡ୍ ସୋ’ କରିଥିଲେ । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ପ୍ରାର୍ଥୀ ତାଙ୍କ ସାଙ୍ଗରେ ଥିଲେ । ରୋଡ୍ ସୋ ଅବକାଶରେ ଶ୍ରୀ ନଡ୍ଡା ତାଙ୍କ ଦଳ ପକ୍ଷରୁ ପ୍ରାୟୋଜିତ ଏକ ଟିଭିକୁ ୱାନ୍ ଟୁ ୱାନ୍ ସାକ୍ଷାତକାର ଦେବାର ବ୍ୟବସ୍ଥା ହୋଇଥିଲା । ଏହି ସାକ୍ଷାତକାରରେ ସେ ଓଡ଼ିଶାର ଶାସନ ବ୍ୟବସ୍ଥା ଏବଂ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବିଜେଡିକୁ କଡ଼ା ସମାଲୋଚନା କରିଥିଲେ । ନିର୍ବାଚନ ସରିଲେ ସରକାରୀ ବାବୁଙ୍କ ହିସାବକିତାବ ନିଆଯିବ ବୋଲି କହିଥିଲେ । ଓଡ଼ିଶାରେ ବିଜେପି ଏକତରଫା ଜିତିବ ଏବଂ ଡବଲ୍ ଇଞ୍ଜିନ୍ ସରକାର ହେବ ବୋଲି କହିଥିଲେ ।
ରୋଡ୍ ସୋ’ ସରିଲା ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ ନଡ୍ଡା । ସେଠାରୁ ଫେରିଲା ପରେ ତାଙ୍କ ସାଙ୍ଗରେ ଥିବା ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଚାଲି ଆସିଥିଲେ । କିଛି ସମୟ ପୂର୍ବରୁ ତାଙ୍କ ଦଳ ପ୍ରାୟୋଜିତ ଟିଭିକୁ ନଡ୍ଡା ଦେଇଥିବା ମନ୍ତବ୍ୟରେ ଅତ୍ୟଧିକ ଉତ୍ସାହିତ ଥିବା ଅପରାଜିତା ନିଜେ ଗଣମାଧ୍ୟମକୁ କହିଲା ବେଳେ ସଂଜମତା ହରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁଖ୍ୟ ସହଯୋଗୀ ତଥା ବିଜେଡିର ଦୁଇ ନମ୍ବର ଷ୍ଟାର୍ ପ୍ରଚାର କାର୍ତ୍ତିକ ପାଣ୍ଡିଆନଙ୍କ ନାଁକୁ ବିକୃତ କରି ସୋସିଆଲ୍ ମିଡ଼ିଆରେ ବିଜେପି ଟ୍ରୋଲ୍ ବାହିନୀର ଭାଷା ବ୍ୟବହାର କରିଥିଲେ । ବିଜୁ ଜନତା ଦଳର ନାଁକୁ ବି ବିକୃତ କରିଥିଲେ ।
ଶ୍ରୀ ପାଣ୍ଡିଆନଙ୍କ ନାଁକୁ ଅଶାଳୀନ ଭାଷାରେ ଅତି ସନ୍ତର୍ପଣରେ କହିସାରିବା ପରେ ଚତୁର ଅପରାଜିତା ଏହା ତାଙ୍କର ଭାଷା ନୁହେଁ, ଲୋକମାନଙ୍କର ଭାଷା କହି ନିଜକୁ ଭଦ୍ର ଦେଖାଇବାକୁ ଚେଷ୍ଟା କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ ବିଜେପି ପ୍ରାୟୋଜିତ ଟିଭି ଏହାକୁ ମୁଖ୍ୟ ଖବର କରି ଲୋକଙ୍କ ପାଖରେ ଅପରାଜିତାଙ୍କ ଅଶାଳୀନ ଭାଷା ପହଞ୍ଚାଇବାକୁ ଭରପୂର ଉଦ୍ୟମ କରିଛି ।
ତେବେ ଅପରାଜିତାଙ୍କର ଏଭଳି ଅଶାଳୀନ ଭାଷା ବ୍ୟବହାରକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ସୋସିଆଲ୍ ମିଡିଆରେ ବ୍ୟବହାର ହେଉଥିବା ସବୁ କଦର୍ଯ୍ୟ ଭାଷାକୁ ମ୍ୟାଡାମ୍ ଅପରାଜିତା ସର୍ବ ସମ୍ମୁଖରେ ବ୍ୟବହାର କରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଭାରତୀୟ ପ୍ରଶାସନିକ ସେବାର ଜଣେ ପୂର୍ବତନ ଅଧିକାରୀ ଏବଂ ଭୁବନେଶ୍ୱର ଭଳି ସମ୍ମାନଜନକ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଭାବେ ଭାଷାରେ ସଂଜମତା ରଖିବାକୁ ଅନେକ ତାଙ୍କୁ ପରାମର୍ଶ ଦେଇଛନ୍ତି ।