ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସମସ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୦ ରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶରେ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଧାର୍ଯ୍ୟ କରାଯାଇଥିବା ବେଳେ ମଣିପୁରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବ । ମାର୍ଚ୍ଚ ୧୦ ରେ ୫ ଟି ଯାକ ରାଜ୍ୟର ବିଧାନସଭା ଭୋଟ ଗଣତି ହେବ ।
କାର୍ଯ୍ୟସୂଚୀ ଅନୁଯାୟୀ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ ପାଇଁ ଫେବ୍ରୁଆରୀ ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଏବଂ ୭ରେ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଜାବ(୧୧୭), ଉତ୍ତରଖଣ୍ଡ(୭୦) ଏବଂ ଗୋଆ(୪୦)ରେ ଫେବ୍ରୁଆରୀ ୧୪ରେ ନିର୍ବାଚନ ହେବ । ମଣିପୁରର ୬୦ ବିଧାନସଭା ଆସନ ପାଇଁ ଫେବ୍ରୁଆରୀ ୨୭ ଏବଂ ମାର୍ଚ୍ଚ ୩ ରେ ନିର୍ବାଚନ ଅନୁଷ୍ଠିତ ହେବ ।
ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଜାନୁଆରୀ ୧୫ ପର୍ଯ୍ୟନ୍ତ ୫ଟି ଯାକ ରାଜ୍ୟରେ ନିର୍ବାଚନ ରାଲି, ରୋଡ୍ ସୋ ଉପରେ କଟକଣା ଲାଗାଯାଇଛି । ପ୍ରାର୍ଥୀମାନଙ୍କୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ପାଇଁ ଅନୁମତି ଦିଆଯାଇଛି । ଏହି କ୍ୟାମ୍ପେନ୍ ରେ ସର୍ବାଧିକ ୫ ଜଣ ସାମିଲ ହେବେ ।