ଭୁବନେଶ୍ୱର: ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ରାଜ୍ୟର ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ୍, ଗସ୍ତ ଖର୍ଚ୍ଚ ଭଳି ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇଥିଲା ବେଳେ ସେବା ନିବୃତ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରାଯାଇଛି ।
ମିଶନ ଶକ୍ତି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ମହାସଂଘଗୁଡ଼ିକୁ ସହାୟତା କରୁଥିବା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଲା,
୧. ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ ।
୨. ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ।
୩. ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ।
୪. ସବୁ CRP- CM ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ ।
୫. ସବୁ CRP- CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ ।
୬. ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ ।
ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନାଥାଉକି, ମିଶନ ଶକ୍ତି ଆନ୍ଦୋଳନ ଓଡିଶାର ୭୦ ଲକ୍ଷ ମା ମାନେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମା ମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହର କେନ୍ଦ୍ର ପରିଚାଳନା, ମାଛ ଚାଷ ଆଦି ବିଭିନ୍ନ ସରକାରୀ କାମ ମଧ୍ୟ ମିଶନ ଶକ୍ତି ମା ମାନଙ୍କୁ ଯୋଗାଇ ଦିଆଯାଇଛି ।
ଅନ୍ୟପକ୍ଷରେ ଅଙ୍ଗନବାଡ଼ି ସେବା ଯୋଜନାରେ ନିଯୁକ୍ତ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନଙ୍କ କାର୍ଯ୍ୟର ଗୁରୁତ୍ୱ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସେବା ନିବୃତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି ।
୧. ଅଙ୍ଗନବାଡ଼ି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।
୨. ମିନି ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
୩. ଅଙ୍ଗନବାଡ଼ି ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏହି ନୂତନ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି । ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ । ଏହି ଘୋଷଣା ଦ୍ୱାରା ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ ।
ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି (Paid Medical Leave) ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।