ଭୁବନେଶ୍ୱର: ରାଜ୍ୟରେ କରୋନାର ତୃତୀୟ ଲହର ଭୟଙ୍କର ରୂପ ନେଲାଣି । ମାତ୍ର ଗୋଟିଏ ସପ୍ତାହରେ ଟେଷ୍ଟ ପଜିଟିଭିଟି ରେଟ୍ ୧୦% ଟପିଯାଇଛି । ଦିନ କେଇଟାରେ ସଂକ୍ରମଣ ୪ ହଜାରକୁ ଟପିଯାଇଛି । ପ୍ରଥମ ଲହର ପିକ୍ କୁ ଅତିକ୍ରମ କରିଯାଇଛି ଦୈନିକ ସଂକ୍ରମଣ । ଆଜି ରାଜ୍ୟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ମଧ୍ୟ ଆକ୍ରାନ୍ତଙ୍କ ଉପରେ ଏହାର ପ୍ରଭାବ କମ୍ ରହିବା ଆଶ୍ୱସ୍ତିର ଖବର ହୋଇଛି । ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୧୬, ୧୧୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫,୬୪୦ ଜଣ ହୋମ୍ ଆଇସୋଲେସନ୍ ରେ ଅଛନ୍ତି । ଅର୍ଥାତ୍ ୯୭% ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ହସ୍ପିଟାଲ୍ ଯିବାର ଆବଶ୍ୟକ ପଡ଼ିନି । ମାତ୍ର ୩% ଆକ୍ରାନ୍ତ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୧% ରୋଗୀ ଆଇସିୟୁ ଏବଂ ୩% ରୋଗୀ ଭେଣ୍ଟିଲେଟର୍ ରେ ଅଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଆଜି କୋଭିଡ୍ ସମୀକ୍ଷା ବୈଠକରୁ ଏହି ତଥ୍ୟ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ଇତିମଧ୍ୟରେ ସବୁ ଜିଲ୍ଲାରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍ ପ୍ରସ୍ତୁତ ହୋଇସାରିଛି । ଅକ୍ସିଜେନ୍ ସୁବିଧା ଥିବା ୭୧୮୧ ଟି ବେଡ୍, ୨୦୨୪ ଆଇସିୟୁ/ଏଚଡିୟୁ, ୮୭୪ ଭେଣ୍ଟିଲେଟର୍ ରେ ପ୍ରସ୍ତୁତ ହୋଇ ରହିଥିବା ବୈଠକରୁ ଜଣାପଡ଼ିଛି ।
ସମସ୍ତ କୋଭିଡ୍ ହସ୍ପିଟାଲ୍ କୁ କାର୍ଯ୍ୟକ୍ଷମ କରାଯାଇ ସେଠାରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ହେଲପ୍ ଡେକ୍ସ ସ୍ଥାପନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ହସ୍ପିଟାଲ୍ ରେ ରୋଗୀମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା ନ କରିବା ପାଇଁ ତାଗିଦ କରିଥିଲେ । କୋଭିଡ୍ ଟିକାକରଣ ଉପରେ ଗୁରୁତ୍ୱ ଦେବା ସହ ବୁଷ୍ଟର୍ ଡୋଜ୍ କୁ ପ୍ରାଥମିକତା ଦେବା ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଥିଲେ ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ରାଜ କୁମାର ଶର୍ମା. ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।