ଭୁବନେଶ୍ୱର: କୋଭିଡ୍ ମହାମାରୀ ବେଳେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରିରେ ପ୍ରବେଶ ପାଇଁ ସାଧାରଣ ବର୍ଗର ଆଶାୟୀଙ୍କ ବୟସ ସୀମା(Upper Age Limit) ୩୮ ବର୍ଷକୁ ବଢ଼ାଇ ଦିଆଯାଇଛି । ଏହି ଚାକିରି ପ୍ରବେଶ ବୟସ ସୀମା ୩୨ ବର୍ଷ ଥିଲା । ସେହିଭଳି ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ଭଳି ସଂରକ୍ଷିତ ବର୍ଗ ଏବଂ ମହିଳାମାନଙ୍କ ପାଇଁ ଚାକିରି ଆବେଦନର ବୟସ ସୀମା ଆଉ ୫ ବର୍ଷ କୋହଳ କରାଯାଇ ୪୩ ବର୍ଷ ରଖାଯାଇଛି । ୩ ବର୍ଷ ପାଇଁ ଅର୍ଥାତ୍ ୨୦୨୧, ୨୦୨୨ ଏବଂ ୨୦୨୩ ରେ ସରକାରୀ ନିଯୁକ୍ତି ପାଇଁ ଏହି କୋହଳ ବୟସ ସୀମା ଲାଗୁ ହେବ ।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ଏବଂ ଅନ୍ୟାନ୍ୟ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଏବଂ ତାହାଦ୍ୱାରା ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ଉଚ୍ଚ ବୟସ ସୀମା ଶେଷ ହୋଇଯାଉଛି ଏବଂ ସେମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉ ନ ଥିବା ଅଭିଯୋଗ ହୋଇ ଆସୁଥିଲା । ରାଜ୍ୟ ସରକାର ଏହା ହୃଦୟଙ୍ଗମ କରିବା ପରେ ଆଜି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଏହାକୁ ମିଶାଇ ମୋଟ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ବାଜିଛି ।
ମୟୁରଭଞ୍ଜ ଜିଲ୍ଲାରେ ୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରକଳ୍ପ ନିର୍ମାଣ ହେବ । ଉକ୍ତ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ସାରସକଣା, କୁଳିଅଣା, ବାଙ୍ଗିରିପୋଷି, କପ୍ତିପଦା, ସମାଖୁଣ୍ଟା ଓ ବାରିପଦା ବ୍ଲକ୍ ଅଧୀନରେ ଥିବା ଅଞ୍ଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।
ସେହିଭଳି ସମ୍ବଲପୁର ଜିଲ୍ଲାରେ ୩୯୪ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଗୋଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଉକ୍ତ ପ୍ରକଳ୍ପ ଦ୍ୱାରା ଯୁଯୁମରା, ମାଣେଶ୍ୱର, ନାକଟିଦେଉଳ ଓ ରେଢ଼ାଖୋଲ ବ୍ଲକ୍ ଅଧୀନରେ ଥିବା ୪୩ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୮୧ ଟି ଗ୍ରାମରେ ବାସ କରୁଥିବା ୧,୭୬, ୬୪୯ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ ।
କଟକ ଜିଲ୍ଲାର ବାଙ୍କୀ, ଡମପଡ଼ା ଓ ବାରଙ୍ଗ ଅଞ୍ଚଳବାସୀଙ୍କ ପାଇଁ ୧୮୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ୩୨ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୩ ଟି ଗ୍ରାମରେ ବାସ କରୁଥିବା ୧, ୯୪, ୯୩୮ ଲୋକ ଏଥିରୁ ଉପକୃତ ହେବେ ।
ଏହି ସବୁ ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ଅବକାରୀ ବିଭାଗରେ ସିଧାସଳଖ ନିଯୁକ୍ତି ପାଉଥିବା ୪୦% ଡେପୁଟି ସୁପରିଟେଣ୍ଡେଣ୍ଟ ପଦବୀ ପାଇଁ ପ୍ରାର୍ଥୀ ଏଣିକି ଓପିଏସସି ଚୟନ କରିବ । ଏଥିପାଇଁ ଓଡ଼ିଶା ଅବକାରୀ ସେବା ଆଇନ ସଂଶୋଧନକୁ କ୍ୟାବିନେଟ୍ ମୋହର ଲଗାଇଛି ।
ଭୁବନେଶ୍ୱର ଆଇଆଇଟି ପାଇଁ ରାଜ୍ୟ ସରକାର ମାଗଣାରେ ୬୧୮.୬୬୫ ଏକର ଜମି ଯୋଗାଇ ଦେବେ । ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ ଫେସନ୍ ଟେକନୋଲୋଜି ର ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ୧୦ ଏକର ଜମି ଯୋଗାଇଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।