ଭୁବନେଶ୍ୱର: ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ୍ ର ବାହୁବଳୀ ବିଜେଡି ନେତା ଗୟାଧର ପରିଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ଆଜି ସକାଳେ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଆଉ ଅପରାହ୍ନରେ ସେ ନିଜ ସମର୍ଥକମାନଙ୍କ ସହ ଭୁବନେଶ୍ୱର ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦେଇଛନ୍ତି ।
ଗତଥର ଭଳି ଚଳିତ ଥର ଗୟାଧର ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ । ମାତ୍ର ମୁଖ୍ୟ ପ୍ରତିଦ୍ୱନ୍ଦୀ ବେଣୁଧର ପ୍ରଧାନଙ୍କ ପତ୍ନୀ ସାବିତ୍ରୀଙ୍କୁ ଟିକେଟ ମିଳିବା ତାଙ୍କୁ ଅସହ୍ୟ ହୋଇଥିଲା । ସାବିତ୍ରୀଙ୍କୁ ହରାଇବାକୁ ସେ ମେଳି କରିବା ଆରମ୍ଭ କରିଥିଲେ । ତାଙ୍କ ବିରୋଧରେ ସଙ୍ଗୀନ ମାମଲା ଥିବାରୁ ସୁରକ୍ଷା ପାଇଁ ବିଜେପି ଛତ୍ରଛାୟା ବି ଖୋଜିଥିଲେ । ଦଳ ବିରୋଧରେ ଗୟାଧରଙ୍କ ଆତ୍ମଘାତୀ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହେବା ପରେ ବିଜେଡି ହାଇକମାଣ୍ଡ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଆଉ ଏହାର କିଛି ଘଣ୍ଟା ପରେ ସେ ବିଜେପି ଶିବିରକୁ ପଳାଇ ଆସି ଗେରୁଆ ଟୋପି ପିନ୍ଧିଛନ୍ତି ।








