ଭୁବନେଶ୍ୱର: ରାଜଧାନୀର ବସ୍ତି ଭୋଟର ପଇସା ନେଇ ଭୋଟ ଦିଅନ୍ତି କି? ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଏହା ବିତର୍କର ବିଷୟ ହୋଇପଡ଼ିଛି । ନିର୍ବାଚନବେଳେ ସହରର ବସ୍ତି ବାସିନ୍ଦାଙ୍କ ଭୋଟ୍ ଉପରେ ସମସ୍ତଙ୍କର ନଜର ଥାଏ । ରାଜନୈତିକ ଦଳମାନେ ବସ୍ତି ଭୋଟ୍ କୁ ହାତେଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥାନ୍ତି । ମାତ୍ର ଏହି କୌଶଳଟି ଯେ ପଇସା ଦେଇ ଭୋଟ କିଣା ହୋଇପାରେ ତାହା ସାଂସଦଙ୍କର ବୟାନରୁ ସ୍ପଷ୍ଟ ବୁଝାପଡୁଛି ।
ବସ୍ତିବାସିନ୍ଦାଙ୍କ ଭୋଟ ପ୍ରସଙ୍ଗ ଉଠାଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ । କହିଥିଲେ, ରାଜଧାନୀ ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକ ଦଳ ଭୋଟ କିଣିବାକୁ ଉଦ୍ୟମ କରୁଛି । ଗୋଟିଏ ଗୋଟିଏ ଭୋଟ୍ କିଣିବାକୁ ୫ଶହରୁ ହଜାରେ ଟଙ୍କା ମୂଲଚାଲ ହେଉଛି । ଏହି ମୂଲଚାଲ୍ ର ତିନୋଟି ଭିଡ଼ିଓ ରେକର୍ଡିଂ ସେ ରଖିଛନ୍ତି । ଠିକ୍ ସମୟରେ ଦେଖାଇବେ ।
ସାଂସଦ ଯେଉଁଦିନ(୮ ତାରିଖ) ଏହି ବୟାନ ଦେଇଛନ୍ତି, ସେତେବେଳେ ପୌର ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ ସରି ନ ଥିଲା କି ପ୍ରାର୍ଥୀଙ୍କର ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇ ନ ଥିଲା । ଅଥଚ ବସ୍ତି ଅଞ୍ଚଳରେ ଭୋଟ ପାଇଁ ମୂଲଚାଲ ହେଉଥିବା ସାଂସଦଙ୍କ ନଜରକୁ ଆସିଛି । ଆଉ ସାଂସଦ ତୁରନ୍ତ ଗଣମାଧ୍ୟମକୁ ଆସି ବୟାନ ଦେଇଛନ୍ତି ।
ସାଂସଦଙ୍କର ଏହି ବୟାନରୁ ସାଧାରଣରେ ବଦ୍ଧ ଧାରଣା ହୋଇଛି ଯେ ବସ୍ତି ବାସିନ୍ଦା ଭୋଟ ବେଳେ ବିକ୍ରୀ ହୋଇଯାଆନ୍ତି । ଗୋରୁ ମୂଲ ଭଳି ବସ୍ତିବାସିନ୍ଦାଙ୍କୁ ରାଜନୈତିକ ଦଳ ମୂଲ କରନ୍ତି । ଗରିବ ବସ୍ତିଲୋକଙ୍କଠାରେ କିଛି ମୂଲ୍ୟବୋଧ ଓ ସ୍ୱାଭିମାନ ନାହିଁ ବୋଲି ଆଇଏଏସ୍ ମାର୍କା ସାଂସଦ ମୋଟାମୋଟି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।
ତେବେ ସାଂସଦଙ୍କର ଏହି ବୟାନ ଖୋଦ୍ ତାଙ୍କ ଦଳ ବିଜେପିରେ ନାପସନ୍ଦ ହୋଇଛି । ପୌର ନିର୍ବାଚନରେ ଏହା ଦଳକୁ କ୍ଷତି କରିବ ବୋଲି ଅଧିକାଂଶ ନେତା ଆଶଙ୍କା କରୁଛନ୍ତି । ଜଣେ ଦାୟିତ୍ୱସମ୍ପନ୍ନ ଲୋକ ପ୍ରତିନିଧିଙ୍କ ମୁହଁରେ ଏହା ଶୋଭା ପାଏନି ବୋଲି ସେମାନେ କହିବା ସହ ସାଂସଦଙ୍କ ପୌର ପରିଚାଳନା ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ।
ଆଶ୍ଚର୍ଯ୍ୟର କଥା, ସାଂସଦଙ୍କ ବୟାନ ଉପରେ ବିଜେଡ଼ି କି କଂଗ୍ରେସର କିନ୍ତୁ କୌଣସି ପ୍ରତିକ୍ରିୟା ନାହିଁ । ମନ୍ତ୍ରୀ ଅଶୋକ ପଣ୍ଡା ନାଁକୁ ଏକ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ସେଥିରେ ମୂଳ କଥା ନାହିଁ । ରାଜନୈତିକ ଆକ୍ଷେପରେ ତାଙ୍କ ପ୍ରତିକ୍ରିୟା ସୀମିତ ରହିଛି । ସୁତରାଂ ବସ୍ତି ଭୋଟର ବିକ୍ରୀ ହେଉଥିବା ଅଭିଯୋଗଟି କଂଗ୍ରେସ କି ଭୁବନେଶ୍ୱର ଏକାମ୍ର ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ମାନ୍ୟବର ମନ୍ତ୍ରୀଙ୍କୁ ଅତିଷ୍ଠ କରୁନାହିଁ ବୋଲି ବୁଝିବାକୁ ହେବ ।
ସେହିଭଳି, କୌଣସି ବସ୍ତିନେତା ମଧ୍ୟ ସାଂସଦଙ୍କ ମନ୍ତବ୍ୟକୁ ବିରୋଧ କରିନାହାନ୍ତି । ବସ୍ତିବାସିନ୍ଦାଙ୍କ ସ୍ୱାଭିମାନ ପ୍ରତି ଏହା କୁଠାରଘାତ ଏବଂ ଅପମାନ ହୋଇଥିଲେ ମଧ୍ୟ ସେମାନେ ଚୁପ୍ ଅଛନ୍ତି । ଏହା ପଛର ରହସ୍ୟ କ’ଣ ହୋଇପାରେ ବୋଲି ବୁଦ୍ଧିଜୀବୀମହଲରୁ ପ୍ରଶ୍ନ ଉଠିଛି । ଏ ପ୍ରସଙ୍ଗରେ ସମସ୍ତଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ଉଚିତ ବୋଲି ସେମାନଙ୍କର ମତ ।