ଭୁବନେଶ୍ୱର: ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିଲା ବେଳେ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ମମିତା ହତ୍ୟାକାଣ୍ଡ ଘଟଣାର ପୃଷ୍ଠଭୂମିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସେ ସିଧାସଳଖ ଟାଣିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ଏବଂ ଗୋବିନ୍ଦ ସାହୁ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍ୟମ କରିଥିଲେ । ତାଙ୍କର ରାୟପୁରସ୍ଥିତ ବାସଭବନରେ ଦୁହିଁଙ୍କୁ ବସାଇ ବୁଝାମଣା ବୈଠକ କରିଥିଲେ ମନ୍ତ୍ରୀ । ମାତ୍ର ତାହା ସଫଳ ହୋଇ ନ ଥିଲା ।
ପୁଲିସକୁ ମିଳିଥିବା ମନ୍ତ୍ରୀଙ୍କ କିଛି କଲ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ବିଜୟ ମହାପାତ୍ର ଦାବି କରିଛନ୍ତି । ତେବେ ଏହି ରିପୋର୍ଟକୁ ଉପରେ ଚାପି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର, ଗୋବିନ୍ଦ ସାହୁ ଏବଂ ମୃତ ମମିତାଙ୍କର ସମସ୍ତ କଲ୍ ରେକର୍ଡ ପୁଲିସ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି ।
ହତ୍ୟାକାଣ୍ଡ ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ଶ୍ରୀ ମହାପାତ୍ର ସମାଲୋଚନା କରିଛନ୍ତି । ପୁଲିସ ମାମଲାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରି କହିଛନ୍ତି ଯେ ଯେଉଁଭଳି ତଦନ୍ତ ହେଉଛି, ତାହା ନାଟକ ଭଳି ଲାଗୁଛି । ଲାଗୁଛି ବଲାଙ୍ଗୀର ଓ କଳାହାଣ୍ଡିରେ ପୁଲିସ ଯେମିତି ଫିଲ୍ମର ସୁଟିଂ କରୁଛନ୍ତି ।
ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଖସାଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରି ଗୋବିନ୍ଦର ଜୁଡ଼ିସିଆଲ୍ କନଫେସନ୍ ଏବଂ ଟିଆଇ ପରେଡ୍ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ସୂଚନାଥାଉକି, ମନ୍ତ୍ରୀ ଦିବ୍ୟଶଙ୍କର ଏବଂ ଗୋବିନ୍ଦ ସାହୁ ସମ୍ପର୍କକୁ ନେଇ ଦିନକୁ ଦିନ ଗୁରୁତର ଅଭିଯୋଗମାନ ଆସିବାରେ ଲାଗିଛି । ସମ୍ପର୍କ ଡୋରିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ମଧ୍ୟ ଯୋଡିହୋଇଛି ।ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଘୋଷଣା କରାଯାଇଛି ।
ସେପଟେ ଜାତୀୟ ମହିଳା କମିଶନ, ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଏହି ମାମଲାକୁ ନେଇ ପୁଲିସ ଓ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିସାରିଲେଣି । ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ନୀତା ଡିସୁଜା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଅନ୍ୟପକ୍ଷରେ ବିଜେଡ଼ି ପକ୍ଷରୁ ଏହାକୁ ବିରୋଧୀ ଦଳର ଶସ୍ତା ରାଜନୀତି ବୋଲି ପାଲଟା ଜବାବ ଦିଆଚାଲିଛି । ପଞ୍ଚାୟତ ନିର୍ବାଚନରୁ ଫାଇଦା ନେବା ପାଇଁ ବିରୋଧୀ ଦଳ ଏଭଳି ହୀନ ରାଜନୀତିର ଆଶ୍ରୟ ନେଇଥିବା ଯୁବ ବିଜେଡ଼ି ସଭାପତି ବିଧାୟକ ବ୍ୟୋମକେଶ ରାୟ ଆଜି କହିଛନ୍ତି ।