ଭୁବନେଶ୍ୱର: ହୋଟେଲ୍ ସାଉଥ୍ ସିଟି ମାର୍କା କମିଶନରେଟ୍ ପୁଲିସର କରିତକର୍ମା କନେଷ୍ଟବଳ ପ୍ରସନ୍ନ କୁମାର ବେହେରା ଶେଷରେ ଚାକିରିରୁ ବିଦା ହୋଇଛନ୍ତି । ସମ୍ବିଧାନର ଧାରା ୩୧୧(୨)(ବି) ବଳରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଜି ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ତାଙ୍କ ବିରୋଧରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା ବେଳେ ୫ଟି ଫୌଜଦାରୀ ମାମଲା ଥିବା କମିଶନରେଟ୍ ପୁଲିସ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟାକାଣ୍ଡର ପୃଷ୍ଠଭୂମି ତମାଣ୍ଡୋ ଥାନା ଅଞ୍ଚଳର ସାଉଥସିଟି ହୋଟେଲ ଆଣ୍ଡ ବାର୍ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାରକ ଥିଲେ ଏହି କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ୱର ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଥିବାରୁ ଅଖଣ୍ଡ ପ୍ରଭାବ ବଳରେ ସେ ବିଭିନ୍ନ କେଳେଙ୍କାରୀରେ ସଂପୃକ୍ତ ଥିବା ଜଣାପଡ଼ିଛି । ଭାଇଙ୍କ ନାଁରେ ପ୍ରସନ୍ନ ଲିଜ୍ ସୂତ୍ରରେ ଆଣିଥିବା ସାଉଥସିଟି ହୋଟେଲ୍ ରେ ରାତି ତମାମ ମଦମାଂସ ଓ ନାଚଗୀତର ଆସର ଜମୁଥିଲା । ଅଧିକାଂଶ ସମୟରେ ପ୍ରସନ୍ନ ନିଜେ ବାର୍ ରେ ମଦ ପିଇ ନାଚୁଥିଲେ ।
ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବାର୍ ଗୁମର ଓ କନେଷ୍ଟବଳ ପ୍ରସନ୍ନର କାରନାମା ଜଣାପଡ଼ିଥିଲା । ଖାଲି ସେତିକି ନୁହେଁ, ପ୍ରସନ୍ନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ସାମନାକୁ ଆସିଥିଲା । ଏଥିରେ ପୂର୍ବରୁ ସେ ଗିରଫ ହୋଇଥିଲେ, ଚାକିରିରୁ ନିଲମ୍ବିତ ହୋଇଥିଲେ । ତେବେ ସାଉଥସିଟି ମାମଲାରେ ଗତ ୨୨ ତାରିଖରେ ତାଙ୍କୁ ଚାକିରିରୁ ପୁଣିଥରେ ନିଲମ୍ବନ କରାଯାଇଥିଲା । ପରଦିନ ଅର୍ଥାତ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଆଉ ଆଜି ଚାକିରିରୁ ବିଦା କରିଦିଆଗଲା ।