ଭୁୁବନେଶ୍ୱର: ଦୁଇ ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀ ବିଜେଡ଼ିରେ ଯୋଗଦେବେ ବୋଲି ଆଜି ନିଷ୍ପତ୍ତି ଶୁଣାଇଛନ୍ତି । ବିଜେଡ଼ି ସରକାର ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର କହି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ଗାଳି କରୁଥିବା ଏହି ଆଦିବାସୀ ଯୁବନେତା ଆଜି ସର୍ବସାଧାରଣରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ନବୀନ ସରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ଜରିଆରେ ବିକାଶ ଆଗକୁ ନେଉଥିବା ସେ କହିଛନ୍ତି ।
ନବରଙ୍ଗପୁରରେ ନିଜର ସମର୍ଥକଙ୍କ ଗହଣରେ ଆଜି ଶ୍ରୀ ମାଝୀ ତାଙ୍କର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଘୋଷଣା କରିଥିଲେ । ସେ କହିଲେ ଯେ କଂଗ୍ରେସରେ ରହି ବାଟ ଚାଲିବା ସମ୍ଭବପର ହେଲା ନାହିଁ । ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଲି । ମୁଁ ବିଜେଡ଼ିରେ ମିଶିବି ।
ସେ କହିଥିଲେ, ରାଜ୍ୟରେ ନବୀନ ପଟ୍ଟନାୟକ ସ୍ଥିର ସରକାର ଜରିଆରେ ଗରିବ ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି । ଆମେ ସମସ୍ତେ ବିଜେଡ଼ିରେ ସାମିଲ ହୋଇ ନବୀନଙ୍କ ହାତମୁଠା ଆହୁରି ଟାଣ କରିବୁ । ନବୀନଙ୍କ ପ୍ରତିଶ୍ରୁତି ଓ କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ଗତିଶୀଳ କରିବାରେ ସାହାଯ୍ୟ କରିବୁ ।
ସୂଚନାଯୋଗୀ, କଂଗ୍ରେସର ଏହି ପୂର୍ବତନ ସାଂସଦ ବିଜେଡ଼ିରେ ମିଶୁଥିବା ନେଇ ବହୁ ଦିନ ଆଗରୁ ଚର୍ଚ୍ଚା ହୋଇ ଆସୁଥିଲା । ଗତ ୨୨ ତାରିଖରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ନିଜ ଅଞ୍ଚଳର ନେତା ଓ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଔପଚାରିକ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିରେ ଯୋଗଦେବେ ବୋଲି କହିଛନ୍ତି ।
ତାରିଖ କହି ନ ଥିଲେ ମଧ୍ୟ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଶ୍ରୀ ମାଝୀ ସମର୍ଥକମାନଙ୍କ ସହ ବିଜେଡ଼ିରେ ଯୋଗଦେବେ ବୋଲି ଜଣାପଡ଼ିଛି ।