ଭୁୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ଘନିଷ୍ଠ ସମ୍ପର୍କ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ତେଜୁଛି । ଆଜି ରାଜଧାନୀରେ ଜୋରଦାର ଆନ୍ଦୋଳନ କରିଛନ୍ତି ବିଜେପି ମହିଳା ବ୍ରିଗେଡ୍ ଓ ବାମପନ୍ଥୀ ଦଳ । ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ କୋକେଇ ଶୋଭାଯାତ୍ରା କରି ନବୀନ ନିବାସ ଘେରାଉ ପାଇଁ ଆସୁଥିଲା ବେଳେ ଶିଶୁ ଭବନ ଛକରେ ପୁଲିସ ସହ ମୁହାଁମୁହିଁ ହୋଇଥିଲା । ସେଠାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଦିନ ପ୍ରାୟ ୧୧ଟା ବେଳେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ପାର୍ଟି ଅଫିସରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ରାଜ୍ୟରେ ଆଇନ ବ୍ୟବସ୍ଥାର ମୃତୁ୍ୟ ହୋଇସାରିଥିବା କହି ପ୍ରତୀକ ଭାବରେ ନେତ୍ରୀ ଓ କର୍ମୀମାନେ ଏକ କୋକେଇ ମୁଣ୍ଡେଇଥିଲେ । ଆଗରେ ଖଇ କଉଡ଼ି ପକାଇ ରାସ୍ତା ଚାଲିଥିଲେ । ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ସହ ତାଙ୍କୁ ଗିରଫ କରିବା ଦାବିରେ ସ୍ଲୋଗାନ୍ ଓ ପ୍ରବଳ ନାରାବାଜି କରିଥିଲେ ।








